ପ୍ରେମୀଯୁଗଳ ଆଜି ପାଳୁଛନ୍ତି ଭାଲେଣ୍ଟାଇନ ଡେ’

ଭୁବନେଶ୍ଵର:ପ୍ରେମ... ମାତ୍ର ଦୁଇଟି ଅକ୍ଷର ହେଲେ ପ୍ରଗଢତା ହଜାରେ ଅକ୍ଷର । ପ୍ରେମ କେବଳ ଶାରୀରିକ ସମ୍ପର୍କର ଆକର୍ଷଣ ନୁହେଁ, ବରଂ ଏହା ଦୁଇ ଆତ୍ମାର ଶାଶ୍ୱତ ବନ୍ଧକ । ପ୍ରେମ ପାଇଁ ଭାଷା ସାଜେନି ପ୍ରତିବନ୍ଧକ । ଥରେ ମନରେ ମନ ମିଶିଲେ ଆଉ କୌଣସି ପ୍ରତିବନ୍ଧକ ମଧ୍ୟ ବାଟ ଓଗାଳିପାରେ ନାହିଁ । ସବୁ କିଛି ପ୍ରେମ ଆଗରେ ହାର ମାନିଥାଏ । କୁହାଯାଏ ପ୍ରେମ ଅନ୍ଧ । ଥରେ ଆଖିରେ ଆଖି ମିଶିଲେ ସାରା ବିଶ୍ୱ ରଙ୍ଗିନ ଦେଖାଯାଏ । ପ୍ରେମ ଦେଖେନି ବୟସର ତାରତମ୍ୟ କିମ୍ବା ଜାତି ବିଚାର । ପ୍ରେମ ଆଗରେ ହାର ମାନେ ଧନ, ସମ୍ପତ୍ତି ଏବଂ ସୌନ୍ଦର୍ୟ୍ୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍କ, ସିନେମା ହଲ ଏବଂ ସପିଂ ହଲରେ କଟିବ ପ୍ରେମ ଦିବସ । ଆଡି ଭାଲେଣ୍ଟାଇନ ଡେ । ସପ୍ତାହର କସରତ ପରେ ଆଜି ଉଭୟ ଉଭୟଙ୍କୁ ପାଇବା ପାଇଁ କସରତ କରିବେ ପ୍ରେମୀଯୁଗଳ । ରୋଜ ଡେ'ରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ଭାଲେଣ୍ଟାଇନ ଡେ'ରେ ପହଞ୍ଚିଛି । ସାତ ଜନ୍ମର ସାଥି ପାଲଟିବାକୁ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଖାସ୍ ରହିବ । ପ୍ରତିଶୃତିର ସାକ୍ଷୀ ପାଲଟିବ ଭାଲେଣ୍ଟାଇନ ଡେ । ପ୍ରେମ ପାର୍ବଣରେ ପଡ଼ିବ ଯବନିକା। ଦେଇସାରିଛନ୍ତି ଗୋଲାପ। ମନର ଅକୁହା କଥାକୁ ବି ବ୍ୟକ୍ତ କରିସାରିଛନ୍ତି। ଚକୋଲେଟ ଦେଇ ସମ୍ପର୍କକୁ ମଧୁର କରିସାରିଛନ୍ତି। ସପ୍ତାହ ସାରା ପ୍ରେମରେ ଭିଜି ଥିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ପ୍ରେମ ଦିବସ ଅର୍ଥାତ ଭାଲେଣ୍ଟାଇନ ଡେ’। ଏଥିପାଇଁ ପ୍ରେମୀଯୁଗଳଙ୍କ ମନରେ ଉତ୍ସାହ ଆଉ ଉତ୍କଣ୍ଠା ସହିତ ଆବେଗ ଭରି ରହିଛି। ଏହାକୁ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅନେକ ଫୁଲ, କାର୍ଡ ଆଉ ଉପହାର ଧରି ପ୍ରସ୍ତୁତ ଥିବାବେଳେ ପାର୍କ, ମଲ୍, ରେସ୍ତୋରାଁ, ଲଙ୍ଗ ଡ୍ରାଇଭ ପାଇଁ ଯୋଜନା କରିଛନ୍ତି। ନିରୋଳାରେ ପରସ୍ପରକୁ ଭେଟିବେ। ପ୍ରେମ ସପ୍ତାହର ସାତ ଦିନର ସ୍ମୃତିକୁ ରୋମନ୍ଥନ କରିବା ସହ ଏକ ନୂଆ ସମ୍ପର୍କ ତିଆରି କରିବେ। ସବୁ ଅକୁହା କଥା ସରିଛି ମନଖୋଲି କହିଦେଇଛନ୍ତି ମନର ମଣିଷକୁ। ଏବେ ସାତଜନ୍ମର ବନ୍ଧନ ପାଇଁ ସମ୍ପର୍କକୁ ସୁଦୃଢ଼ କରିବେ। ସେହିପରି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଫୁଲ, ଉପହାର ବ୍ୟବସାୟୀ ବେଶ୍ ଉତ୍ସାହିତ ଅଛନ୍ତି।