ସୁନ୍ଦରଗଡ଼ ଖଣି ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

ସୁନ୍ଦରଗଡ଼ ଖଣି ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ  ଦେଲେ ତଦନ୍ତ ନିର୍ଦ୍ଦେଶ

ସୁନ୍ଦରଗଡ଼ ଜିଲାର ହେମଗିର ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଏବଂ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଭିଜିଲାନ୍ସ ପକ୍ଷରୁ ଏକ ଏସ୍‌ଆଇଟି ଗଠନ କରାଯାଇଛି। ପୂର୍ବରୁ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀମାନଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତକରି ରିପୋର୍ଟ ସଂଗ୍ରହକରିବା ସହ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ଜେନା ମଧ୍ୟ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସାଙ୍ଗକୁ ଦୋଷୀ ଯିଏ ହୋଇଥାଆନ୍ତୁ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲା ହେମଗିର ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ୍‌ ଟନ୍‌ରୁ ଊର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗ୍ରାମରେ, ୩ଟି ରତ୍ନସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗ୍ରାମରେ ଅବସ୍ଥିତ। ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି। ଏହାସହ ହେମଗିରର ଜାମକାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି।

 ସେହିପରି କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆଠାରେ ୫୦ଟି ମାଙ୍ଗାନିଜ୍‌ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍‌ ଓ ଲୁହାପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି। ଏହି ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗ୍ରାମରେ, ୧୦ଟି ମାଲଦା ଗ୍ରାମରେ, ୨୦ଟି କୋଲମଙ୍ଗ ଗ୍ରାମରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗ୍ରାମରେ ରହିଛି। ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ୱ ମାଙ୍ଗାନିଜ ଓର୍‌ ଏବଂ ୧୨୦୦ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ପରିମାଣର ଆଇରନ ଓର୍‌ ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।