ବି୍ରଟିଶ ଅତ୍ୟାଚାରଠୁ ବଳିଗଲା ବିଜେପି ଆକ୍ରମଣ; ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କର : ବିଜେଡ଼ି
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସ୍ପଷ୍ଟ ଦିବାଲୋକରେ ବିଜେପି ନେତାଙ୍କ ଦ୍ୱାରା ହୋଇଥିବା ବର୍ବରୋଚିତ ଓ ମରଣାନ୍ତକ ଆକ୍ରମଣ ଘଟଣା ବି୍ରଟିଶ ଅତ୍ୟାଚାରଠୁ ମଧ୍ୟ ବଳିଯାଇଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଆକ୍ରମଣକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବିକରିଛି । ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍ସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର(ମଧ୍ୟ)ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ୱର(ଉତ୍ତର)ବିଧାୟକ ସୁଶାନ୍ତ ରାଉତ ସିଧାସଳଖ ଆକ୍ରମଣ କାରୀମାନେ ଶାସକ ବିଜେପିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୋଲି କହିବା ସହିତ, ବିଜେପି ନେତା ତଥା ଗତ ନିର୍ବାଚନରେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଘଟିଛି ବୋଲି କହିଥିଲେ । ଏହି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ନମୁନା ଓ ଶାସକ ବିଜେପି ଦଳର ଅତ୍ୟାଚାର ମନୋବୃତ୍ତିର ପରିଚୟ ବୋଲି ଅଶୋକ ପଣ୍ଡା କହିଥିଲେ । ଓଡିଶାଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିବା, ସମଗ୍ର ରାଜ୍ୟ ବାସୀଙ୍କମନକୁ ଆନେ୍ଦାଳିତ କରିବାସହ ଦେଶରେ ଓଡ଼ିଶାର ଛବିକୁ ମଳିନ କରିଛି । ରାଜ୍ୟ ଓଏଏସ୍ ସଙ୍ଘ ଏହିଘଟଣାରେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଗତ ଏକ ବର୍ଷରେ ବିଭିନ୍ନ ସ୍ଥାନରେ ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ କରିବା ସହ ସେମାନଙ୍କ ସୁରକ୍ଷା ଓ ସମ୍ମାନ ବିପଦରେ ପଡିଛି ବୋଲି ଉଲ୍ଲେଖ କରିଛନ୍ତି । ବିଏମସି ମେୟର ସୁଲୋଚନା ଦାସ ଏହିଘଟଣାକୁ ନିନ୍ଦାକରିବା ସହିତ, ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଫିସ୍ ମଧ୍ୟରୁ ଘୋଷାଡ଼ି ଆଣି ଯେଭଳି ବର୍ବରୋଚିତ ଆକ୍ରମଣ କଲେ, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଘଟଣାରେ ଛଅ ସାତଜଣଙ୍କ ସମ୍ପୃକ୍ତି ରହିଥିବାବେଳେ, ପୁଲିସ କେବଳ ପାଞ୍ଚଜଣଙ୍କୁ ଗିରଫ କରିଛି । ତେଣୁ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଓ ଯାହାଙ୍କ ପ୍ରରୋଚନାରେ ଏହି ଘଟଣା ଘଟିଛି, ତାଙ୍କୁଗିରଫ କରି ତାଙ୍କ ବିରୋଧରେ ଭାରତୀୟ ନ୍ୟାୟସଂହିତାର ୧୦୯ ଦଫା ଲଗାଯାଉ ।