ଶ୍ରେଣୀ ପ୍ରକୋଷ୍ଠରୁ ନିର୍ମାଣ ହୁଏ ଭାରତ ବର୍ଷର ଭାଗ୍ୟ
ଆନନ୍ଦପୁର : ଶ୍ରେଣୀ ପ୍ରକୋଷ୍ଠରୁ ନିର୍ମାଣ ହୁଏ ଭାରତବର୍ଷ ର ଭାଗ୍ୟ । ସେହିପରି ମନୁଷ୍ୟକୁ ମନୀଷୀରେ ପରିଣତ କରେ ଏହି ବିଦ୍ୟାଳୟ ଶ୍ରେଣୀଗୃହ । ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମନୁଷ୍ୟ କରିବାର ମୂଳଦୁଆ ପକାଇ ଥାଆନ୍ତି । ସରକାରୀ ସ୍ତରରେ ଜଣେ ଶିକ୍ଷକର ଅବସର ଥାଇ ପାରେ କିନ୍ତୁ ବ୍ୟକ୍ତିଗତ ଭାବେ ସମାଜରେ ଅବସର ହୋଇନଥାଏ ବୋଲି ପ୍ରକାଶ କରିଛନ୍ତି ବ୍ରାହ୍ମଣୀଦେବୀ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ମମତା ମଞ୍ଜରୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିବା ଅତିଥିମାନେ । ଏହି ସଭା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅତୁଲ ବଳଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ଏଥିରେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଶରତ ଚନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମେନ୍ଦ୍ର ନାଥ ମହାନ୍ତି, ପ୍ରାକ୍ତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଭିମନୁ୍ୟ ସାହୁ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପ୍ରତିଷ୍ଠାନ ଅଧିକାରୀ ରବିନାରାୟଣ ମିଶ୍ର, ଆନନ୍ଦପୁର ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ମଦନ ମୋହନ ମୁଦୁଲି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ପ୍ରସାଦ ନାୟକ, ସିଆରସିସି ନିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଚିତ୍ତରଞ୍ଜନ ଘଡ଼େଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ କବିତା ରାଣୀ ଦୀକ୍ଷିତ ମାନପତ୍ର ପାଠ କରିଥିଲେ । ବ୍ରାହ୍ମଣୀଦେବୀ ସରକାରୀ ସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗୋଲାପ ମଞ୍ଜରୀ ରଣା ବିଦାୟକାଳୀନ ଭାଷଣ ଦେଇଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।