ମଜଦୂର ସଂଘର ଐତିହାସିକ ବିଜୟ
ପାରାଦୀପ : ପାରାଦୀପ ବନ୍ଦରରେ ବେଶ ଲମ୍ବା ସମୟ ଧରି ଠିକାଦାରୀ କରି ଆସୁଥିବା ଅଣଓଡିଆ ଠିକା ସଂସ୍ଥା ଚେନ୍ନାଇ ରାଧା ଇଞିନିୟରିଂ ୱାକର୍ସ ପ୍ରାଇଭେଟ ଲିମିଟେଡ ଅଧୀନରେ କାର୍ଯ୍ୟ କରି ଆସୁଥିବା ନିରୀହ ଶ୍ରମିକମାନଙ୍କୁ ମୋହରା ବନେଇ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରି ଆସୁଥିବା ‘ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ’ର ସଭାପତି ବାପି ସାର୍ଖେଲଙ୍କ ହାତଛାଡି ଉକ୍ତ ଶ୍ରମିକମାନେ ସାମୂହିକ ଭାବେ ‘ପାରାଦୀପ ପୋର୍ଟ ମଜଦୂର ସଂଘ’ରେ ସାମିଲ ହେବାର ମାତ୍ର କେଇଟା ମାସ ପରେ ଆଶାନୁରୂପ ଭାବେ ସେମାନଙ୍କ ବେତନ ବୃଦ୍ଧି ସାଙ୍ଗକୁ ବେଆଇନ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ମିଳିବାକୁ ନେଇ ଶ୍ରମିକମାନଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି । ପାରାଦୀପ ପୋର୍ଟ ମଜଦୂର ସଂଘର କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହିତ ପରସ୍ପର ମଧ୍ୟରେ ମିଠା ଖୁଆଖୋଇ ହୋଇ ଖୁସି ମନାଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟାଟ ସହିତ ବଲର ସଠିକ ସଂଯୋଗ ରହିଲେ କ୍ରିକେଟ ପଡିଆରେ ଯେଭଳି ଚଉକା, ଛକା ବର୍ଷା ହୋଇଥାଏ, ସେହିଭଳି ଶ୍ରମିକମାନଙ୍କ ଭିତରେ ଏକତା ସାଙ୍ଗକୁ ନିର୍ଭୀକ, ନିସ୍ୱାର୍ଥପର ଭାବେ .ବଳିଷ୍ଠ ନେତୃତ୍ୱ ଦେଇ ପାରୁଥିବା ନେତାଙ୍କ ଭିତରେ ଉତ୍ତମ ବୁଝାମଣା ରହିଲେ,ଯେ କୈାଣସି ଅସମ୍ଭବ ସମ୍ଭବ ହୋଇ ପାରିବ,ଯାହା ଆଜିର ଏହି ଏ୍ୟ÷ତିହାସିକ ସଫଳତା ପ୍ରମାଣିତ କରିଛି ବୋଲି ପାରାଦୀପ ପୋର୍ଟ ମଜଦୂର ସଂଘର ସଭାପତି ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଆଜି ପୂର୍ବାହ୍ନରେ ‘ପାରାଦୀପ ପୋର୍ଟ ମଜଦୂର ସଂଘ’ ପକ୍ଷରୁ ନୂଆବଜାରସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତ୍ି ପ୍ରକାଶ ତ୍ରିପାଠୀଙ୍କ କହିବା ହେଲା ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ନେତା ବାପି ସାର୍ଖେଲ ଶ୍ରମିକ ଓ କର୍ମଚାରୀଙ୍କୁ ମୋହରା ବନେଇ ବର୍ଷ ବର୍ଷ ଧରି ଚେନ୍ନାଇ ରାଧା କମ୍ପାନୀଠାରୁ ମୁନଫା ଉଠାଇବା ସାଙ୍ଗକୁ ଶ୍ରମିକମାନଙ୍କ ବେତନ ବୃଦ୍ଧି ସମ୍ପର୍କିତ ସେଟଲମେଣ୍ଟ (ଚୁକ୍ତିନାମା) କରିବାରେ ଟାଳଟୁଳ ନୀତି ପୋଷଣ କରି ଆସୁଥିବାରେ ଅତିଷ୍ଠ ଶ୍ରମିକ ଭାଇମାନେ ପାରାଦୀପ ପୋର୍ଟ ମଜଦୂର ସଂଘ ଉପରେ ଆସ୍ଥା ପ୍ରକଟ କରି ଗତ ଜୁନ/୨୦୨୪ ମସିହାରେ ସାମୂହିକ ଭାବେ ଉକ୍ତ ସଂଘରେ ସାମିଲ ହୋଇଥିଲେ । ତେବେ ଯେଉଁ ଆଶା ଓ ଭରସା ନେଇ ଉକ୍ତ ଶ୍ରମିକ ଭାଇମାନେ ଏହି ସଂଘରେ ସାମିଲ ହୋଇଥିଲେ, ସେମାନଙ୍କ ଆଶା ପୂରଣ କରିବାର ଦୃଢ଼ ସଙ୍କଳ୍ପ ନେଇ ସଂଗ୍ରାମ ଜାରି ରଖିବା ଫଳରେ ଶ୍ରମିକ ମାନଙ୍କ ଉପରେ ହୁକୁମାତି, ମନମାନି ଚଳାଇ ଆସୁଥିବା ଚେନ୍ନାଇ ରାଧା କମ୍ପାନୀ ପାରାଦୀପ ପୋର୍ଟ ମଜଦୂର ସଂଘ ଆଗରେ ଶେଷରେ ମୁଣ୍ଡ ନୁଆାଁଇବାକୁ ବାଧ୍ୟ ହୋଇଥିଲା, ଯାହାର ଫଳସ୍ୱରୂପ ଚଳିତ ମାସ ମାର୍ଚ୍ଚ ୨୫ ତାରିଖରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶ୍ରମ କମିଶନର (କେନ୍ଦ୍ରୀୟ)ଙ୍କ କାର୍ଯ୍ୟାଳୟରେ ଶ୍ରମ କମିଶନର, ଶ୍ରମିକ ସଂଘର କର୍ମକର୍ତ୍ତା ଓ ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ମଧ୍ୟରେ ଏ୍ୟ÷ତିହାସିକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଉକ୍ତ ତ୍ରିପାକ୍ଷିକ ଚୁକ୍ତିନାମାନୁଯାୟୀ ଚେନ୍ନାଇ ରାଧା କମ୍ପାନୀ ଅଧୀନରେ ଚାରୋଟି କ୍ୟାଟେଗୋରିରେ କାମ କରୁଥିବା ଶ୍ରମିକମାନେ ବାର୍ଷିକ ସର୍ବାଧିକ ୧୩,୫୦୦ ଟଙ୍କା ଓ ସର୍ବନିମ୍ନ ୧୦,୫୦୦ ଟଙ୍କା ଲେଖାଁ ବିଗତ ଗତ ୨୦୨୩ ମସିହା ଏପ୍ରିଲ ମାସ ଠାରୁ ପାଇବେ ବୋଲି ନିଷ୍ପତି ହୋଇଛି । ସେହିଭଳି ତୁଣ୍ଡ ଖୋଲିଲେ ମୁଣ୍ଡ ଗଡିବା ନ୍ୟାୟରେ ଅନ୍ୟାୟ ବିରୁଦ୍ଧରେ ବାରମ୍ବାର ସ୍ୱର ଉତ୍ତୋଳନ କରି ଆସୁଥିବା କମ୍ପାନୀର ଯେଉଁ ଟେକ୍ନିକାଲ ଆସିଷ୍ଟାଣ୍ଟ ମଣ୍ଟୁ ସାହୁଙ୍କୁ ୨୦୧୯ ମସିହାରୁ ଉଦେ୍ଦଶ୍ୟମୂଳକ ଭାବେ କମ୍ପାନୀ ଚାକିରୀରୁ ଛଟେଇ କରିଥିଲା, ସେହି ମଣ୍ଟୁ ସାହୁଙ୍କୁ କମ୍ପାନୀ ପୁନଃ ନିଯୁକ୍ତି ଦେବା ସହିତ ବନ୍ଦର କର୍ମଚାରୀ ଯେଭଳି ଚାକିରୀରୁ ଅବସର ନେଉଥିବା ବେଳେ ବନ୍ଦର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉପଢ଼ୌକନ, ଫୁଲତୋଡା ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଦେଇ ଆସୁଛିି । ଚେନ୍ନାଇ ରାଧା କମ୍ପାନୀ ଏଣିକି ସେହି ପନ୍ଥା ଗ୍ରହଣ କରିବ । ଉକ୍ତ ଚୁକ୍ତିନାମାରେ ରେଲ ରିସିଭିଂ ଷ୍ଟେସନ (ଆରଆରଏସ୍) ଶ୍ରମିକ ମାନଙ୍କର ର୍ୟାକ୍ ଇନ୍ସେଣ୍ଟିଭ ଓ ସଫେଇ ଇନ୍ସେଣ୍ଟିଭ ବୃଦ୍ଧି କରାଯିବା ସହିତ ପୂର୍ବ ପ୍ରଚଳିତ ଓଭର ଟାଇମ୍ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହାଫଳରେ କର୍ମଚାରୀମାନେ ପୂର୍ବାପେକ୍ଷା ଏଣିକି ଅଧିକ ଆର୍ଥିକ ସୁବିଧା ପାଇବା ପଥ ପରିସ୍କାର ହୋଇଯାଇଛି । ସବୁଠାରୁ ବଡ କଥା ହେଲା, କୌଣସି ପରିସ୍ଥିତିରେ ଶ୍ରମିକ ସଂଗଠନ ସହିତ ଆଲୋଚନା ନ କରି କମ୍ପାନୀ ଶ୍ରମି୍କ ଓ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ କିମ୍ବା ଡିୟୁଟିରେ ଅନୁପସ୍ଥିତ ରହିଲେ ସେମାନଙ୍କ ଘରଭଡ଼ା କାଟି ପାରିବ ନାହିଁ ବୋଲି ଉକ୍ତ ଚୁକ୍ତିନାମାରେ ଉଲ୍ଲେଖ ଥିବା ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଅଭିମନୁ୍ୟ ବେହେରା, ଉପ ସଭାପତି ସୁବ୍ରତ ପ୍ରଧାନ, ସାଧାରଣ ସମ୍ପାଦକ ପରେଶ ମୁର୍ମୁ, ସମ୍ପାଦକ ରତ୍ନାକର ଜେନା, ସଂଘର ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂ ପ୍ରମୁଖଙ୍କ ସମେତ ଚେନ୍ନାଇ ରାଧା କମ୍ପାନୀ ଅଧୀନରେ କାର୍ଯ୍ୟ କରି ଆସୁଥିବା ଶତାଧିକ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।