ଭିଜିଲାନ୍ସ ଜାଲରେ ପଡି ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍

ଭିଜିଲାନ୍ସ ଜାଲରେ ପଡି ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍

ଆଉ ୨ ଦିନ ପରେ ଅବସର ନେଇଥାନ୍ତେ । ଅଫିସରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥାନ୍ତା।  ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ।  ବେକରେ ଫୁଲମାଳ ପଡ଼ିବା ବଦଳରେ CHSE ରେକର୍ଡ ସପ୍ଲାୟର୍  ପୁରେନ୍ଦ୍ର ସେଠୀ ବନ୍ଧା ହେଲେ  ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ  ଭିଜିଲାନ୍ସ ସୂଚନା ଦେଇଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିଏଚଏସଇରେ ରେକର୍ଡ ସପ୍ଲାଏର ଥିବା ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦,୮୮୦ ବର୍ଗଫୁଟ ଅଞ୍ଚଳ ଜମିରେ ୪ ମହଲା କୋଠା ରହିଛି । ସେହିପରି ବିଭିନ୍ନ ଲୋକଙ୍କ ନାଁରେ ଶ୍ରୀ ସେଠୀ ୬ଡିସିମିଲରୁ ୧୧ଡିସିମିଲ ପରିମିତର ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି । ଯାହାକି ତାଙ୍କର ବେନାମୀ ସମ୍ପତ୍ତି ବୋଲି ଜଣାପଡ଼ିଛି । ତାଙ୍କଠୁ ୧ଲକ୍ଷ ୭୦ହଜାର ଟଙ୍କା ନଗଦ ଅର୍ଥ ସହ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ସାମିଲ ଅଛି । ତାଙ୍କର ଟୟୋଟା ଅର୍ବାନ କ୍ରୁଜର ଓ ଟୟୋଟା ଇଟଅସ୍ ଲିଭା ଭଳି ଦୁଇଟି ଚାରିଚକିଆ ସହ ୫ଟି ଦୁଇଚକିଆ ଗାଡ଼ି ଥିବା ମଧ୍ୟ ଜଣାପଡ଼ିଛି ।

ପୁରେନ୍ଦ୍ର ଅବସର ନେବାର ୪ ଦିନ ଆଗରୁ ତାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ଏହା ଦୁଇ ଦିନ କାଳ ଚାଲିଥିଲା । ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଆଜି ସକାଳୁ ଶ୍ରୀ ସେଠୀଙ୍କ କାନନବିହାର ଘର, ଜଗତସିଂହପୁର ବାଲିକୁଦାର କେଉପଡ଼ାସ୍ଥିତ ପୈତୃକ ଘର ଓ ତାଙ୍କ ସାମନ୍ତରାପୁରସ୍ଥିତ ଅଫିସରେ ଚଢ଼ଉ କରିଥିଲେ। ତେବେ ପିଅନରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ସେଠୀ କିଭଳି କୋଟିକୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।