୨୨ ଶହ କିଲୋମିଟର ଯାତ୍ରା କରି ଭୋଟ ଦେବାକୁ ଆସିଲେ ମହିଳା ଡାକ୍ତର

 ଦିଲ୍ଲୀ ବିଧାନସଭା ପାଇଁ ଆଜି ମତଦାନ ହେଉଛି । ସକାଳରୁ ଲୋକମାନେ ଧାଡିରେ ଆସି ଭୋଟ ଦେବାରେ ଲାଗିଛନ୍ତି । ହେଲେ ଏହା ମଧ୍ୟରେ ଏକ ଚେହେରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ ଏହି ଭୋଟର ଜଣଙ୍କ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଦୀର୍ଘ ୨୨ ଶହ କିଲୋମିଟର ଯାତ୍ରା କରି ଦୁବାଇରୁ ଦିଲ୍ଲୀ ଆସିଛନ୍ତି । ଏହି ମହିଳା ଭୋଟରଙ୍କ ନାମ ନିଶା ଭରଦ୍ୱାଜ ଓ ସେ ପେଶାରେ ଜଣେ ଡାକ୍ତର । ଆଉ ସବୁଠାରୁ ରୋଚକ କଥା ହେଉଛି ସେ ଯେଉଁ ବୁଥରେ ଭୋଟ ଦେଲେ ତାଙ୍କ ଭୋଟ ହିଁ ପ୍ରଥମ ଭୋଟ ଥିଲା । 

ନିଶା ଭରଦ୍ୱାଜ ଭୋଟ ଦେଇସାରିବା ପରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି, ବିଶ୍ୱର ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଦୁବାଇ । ସେଠାରେ ମହିଳାମାନେ ରାତି ୩ଟାରେ ବି ନିର୍ଭୟରେ ଯାତାୟତ କରିପାରନ୍ତି । ହେଲେ ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ ମହିଳା ସୁରକ୍ଷା ଏବେ ବି ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ସେ କହିଛନ୍ତି କି, ଦିଲ୍ଲୀରେ ଯିଏ ବି ସରକାର କରୁ, ହେଲେ ମହିଳା ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ମହିଳାମାନେ ନିଜକୁ ସୁରକ୍ଷିତ ମନେ କଲେ ଯାଇ ସେମାନଙ୍କର ବିକାଶ ହୋଇପାରିବ। ଯାହା ଦେଶ ବିକାଶର ଯୋଗଦାନ ହୋଇପାରିବ ବୋଲି ନିଶା କହିଛନ୍ତି । ଏହାସହ ସେ ଦିଲ୍ଲୀର ଭୋଟରମାନଙ୍କୁ ମତଦାନ କରିବାକୁ ଅନୁରୋଧ କରିଛନ୍ତି ।