ଅଭିଯୋଗ ପ୍ରକୋଷ୍ଠରେ ରାଗି ଫାୟାର୍ ହେଲେ ମନ୍ତ୍ରୀ
ଭୁବନେଶ୍ୱର: ଅଭିଯୋଗ ପ୍ରକୋଷ୍ଠରେ ରାଗି ଫାୟାର୍ ହେଲେ ମନ୍ତ୍ରୀ। ବିଡିଓ ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ ମୁଁ ସସପେଣ୍ଡ୍ କରିବି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଜନ ଅଭିଯୋଗ ଶୁଣାଣି ସମୟରେ।
ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ପରିସରରେ ଜନ ଅଭିଯୋଗ ଶୁଣାଣି ଚାଲଥିବା ବେଳେ ଏହି ଘଟଣା ଘଟିଥିଲା। ଉକ୍ତ ବ୍ଲକ ଝିଙ୍କିରିଆ ପଞ୍ଚାୟତର ରେବତୀ ରାଉତ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଗୃହ ପାଇଥିଲେ। ମାତ୍ର ତାଙ୍କୁ କିସ୍ତି ଟଙ୍କା ଏଯାଏ ମିଳି ନାହିଁ । ଏ ନେଇ ସେ ମଧ୍ୟ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ। ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କିଛିଦିନ ବିତିଯିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳି ନ ଥିଲା। ଏହି ଟଙ୍କା ଯନ୍ତ୍ରୀ ପାସ୍ କରାଇ ଦେଉ ନ ଥିବା ଜାଣି ପୁଣି ସେ ମନ୍ତ୍ରୀଙ୍କ ପାଖକୁ ଆସିଥିଲେ।
ଏକଥା ଜାଣିବା ପରେ ଚିହିଁକି ଉଠିଥିଲେ ମନ୍ତ୍ରୀ। ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ତୁରନ୍ତ ସେ ଯନ୍ତ୍ରୀଙ୍କୁ ଡାକ ମୁଁ ସସ୍ପେଣ୍ଡ କରିବି କହିଥିଲେ।ମନ୍ତ୍ରୀ କହିଥଲେ, ବିଡିଓ ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ ମୁଁ ସସପେଣ୍ଡ କରିବି। ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରୁଛି। ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଲୋକେ ଏଠାକୁ ଅଭିଯୋଗ ନେଇ ଆସୁଛନ୍ତି ସମାଧାନ ପାଇଁ। ଏଠି କଣ ତାମସା ଚାଲିଛି? ଜଣେ ଦ୍ୱିତୀୟ ଥର କାହିଁକି ମୋ ପାଖକୁ ଆସିବ। ପାଲା ଚଲେଇଛ। ଇନ୍କ୍ୱାରି କାହିଁକି ୭ ଦିନ ମଧ୍ୟରେ ହେଲା ନାହିଁ। ସବୁ ଡିପାଟମେଣ୍ଟକୁ ନେଇ ମୁଁ କ’ଣ ତାମସା କରିବାକୁ ବସିଛି। ରେବତୀଙ୍କ ଭଳି ଅନେକ ମଧ୍ୟ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ। ବୃଦ୍ଧାଜାଣେ ମଧ୍ୟ କାନ୍ଦିକାନ୍ଦି ମନ୍ତ୍ରୀଙ୍କୁ ତାଙ୍କ ଗୁହାରି ଜଣାଇଥିଲେ।