ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ

ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ୧୧ ଜଣ ୱାର୍ଡମେମ୍ବର ଫେବୃଆରୀ ୧ରେ ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳ ବିଭିନ୍ନ ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ମାର୍ଚ୍ଚ ୩ରେ ଅନାସ୍ଥା ଭୋଟ ପାଇଁ ଜିଲାପାଳ ସମୟ ନିର୍ଦ୍ଧାରିତ କରିଥିଲେ। ତଦନୁଯାୟୀ ସୋମବାର ପଞ୍ଚାୟତରେ ପୋଲିସ ସୁରକ୍ଷାରେ କୋମନା ତହସିଲଦାର ପ୍ରୟାସୀ ପ୍ରଧାନ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରହି ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସରପଞ୍ଚ ବରାଳଙ୍କ ନାଁରେ ମାମଲା ରୁଜୁ ହୋଇଥିବାରୁ ଗିରଫଦାରି ଭୟରେ ସେ ଭୋଟ ଦେବାକୁ ଆସି ନ ଥିଲେ। ଏଠି ସରପଞ୍ଚଙ୍କ ବିପକ୍ଷରେ ୧୩ ଖଣ୍ଡ ଭୋଟ ପଡିଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଉପଜିଲାପାଳ ଯୋଗେନ୍ଦ୍ର ମାଝିଙ୍କୁ ପଚାରିବାରୁ କୁରେଶ୍ୱର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏବେ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏଣୁ ସରକାରୀ ଭାବରେ ଅନାସ୍ଥା ଭୋଟର ଫଳାଫଳ ଘୋଷଣା କରାଯାଇ ନାହିଁ। ହାଇକୋର୍ଟଙ୍କ ରହିତାଦେଶ ହଟିବା ପରେ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।