ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବୈଠକ

ବରଗଡ:  ନିଖିଳ ଓଡ଼ିଶା ୬୬୨(+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟ ବରଗଡ ଠାରେ  ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ପ୍ରାୟ ୭୦ ପ୍ରତିଶତ ପିଲାଙ୍କୁ ଦୀର୍ଘ ୨୫ବର୍ଷରୁ ଅଧିକ ସମୟ ପାଠ ପଢାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ୬୬୨ ବର୍ଗର ଅଧ୍ୟାପକ କର୍ମଚାରୀମାନେ  । ତେଣୁ ଅବସରକାଳୀନ ଭୟଙ୍କର ପରିସ୍ଥିତିର ମୁକାବିଲା ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନସନ ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ସଂଘକୁ ସକ୍ରିୟ କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି  । ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦେବତାଙ୍କ ପୌରୋହିତ୍ୟରେ  ଆୟୋଜିତ ବୈଠକରେ ସମ୍ପାଦକ ସୁଶାନ୍ତ ମିଶ୍ର ସଂଘର ବିବରଣୀ ଓ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ  ।  ସଂଘର ଜିଲ୍ଲା ସଭାପତି ଅଧ୍ୟାପକ ଅଶୋକ ବେହେରା ସମବେତ ମାନସିକତା ରଖି ସଂଗଠନକୁ ମଜଭୁତ କରିବା ହିଁ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସମୟର ଆହ୍ୱାନ ବୋଲି କହିଥିଲେ । ଉପସଭାପତି ଗୋପାଳ ମିଶ୍ର, ସହ-ସମ୍ପାଦକ ଜଗଦୀଶ ଦେବତା, କୋଷାଧ୍ୟକ୍ଷ ସୁରେଶ ପରିଡ଼ା ସଂଘର କାର୍ଯ୍ୟପନ୍ଥା ଓ ଆର୍ଥିକ ଦିଗକୁ ଉପସ୍ଥାପନ କରିଥିଲେ  ।