କେରଳରେ ରେଡ୍ ୱାର୍ଣ୍ଣିଂ
ନୂଆଦିଲ୍ଲୀ: ଚଳିତ ବର୍ଷ କେରଳ ଆଗୁଆ ମୌସୁମୀ ସ୍ପର୍ଶ ପାଇବ । ମେ’ ୨୭ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ମୌସୁମୀ ପାଖେଇ ଆସୁଥିବାରୁ କେରଳର ଅନେକ ସ୍ଥାନରେ ଭଲ ବର୍ଷା ବି ଆରମ୍ଭ ହୋଇଗଲାଣି । ଏମିତିକି କେରଳର କେତେକ ସ୍ଥାନକୁ ପ୍ରବଳ ବର୍ଷା ନେଇ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ସେପଟେ ଆସନ୍ତା ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । କାଳବୈଶାଖୀର ପ୍ରଭାବରେ ଝଡ଼ତୋଫାନ ସହ ବିଜୁଳି ଓ ବଜ୍ରପାତର ବି ଆଶଙ୍କା ରହିଛି ।
ଆଇଏମଡ଼ିର କେରଳ ଶାଖାର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପୁନାଲୁରରେ ୫୮.୮ ମିମି, ସିଆଲ କୋଚିରେ ୬୨.୨ ମିମି, କରିପୁର ଏୟାରପୋର୍ଟରେ ୬୩ ମିମି, କୋଝିକୋଡ଼େ ସିଟିରେ ୮୯.୪ ମିମି, କନ୍ନୁରରେ ୧୨୫.୪ ମିମି ଓ କନ୍ନୁର ଏପିରେ ୧୮୦.୪ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ କାଝିକୋଡ଼, ୱାନାଡ଼, କନ୍ନୁର ଓ କସରାଗୋଡ଼େକୁ ରେଡ୍ ୱାର୍ଣ୍ଣିଂ ଜାରିହୋଇଛି । ଏହାଛଡ଼ା ଥ୍ରିସୁର, ପାଲକ୍କଡ଼, ମାଲାପୁରମ୍ ଭଳି ସ୍ଥାନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ପଥାନମିଥିଟ୍ଟା, ଆଲ୍ଲାପୁଝା, କୋଟୟାମ, ଏର୍ଣ୍ଣାକୁଲମ୍ ଓ ଇଡୁକି ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଇଏମଡ଼ିର ଆକଳନ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟିହୋଇଛି । ଫଳରେ ଦୁଇ ଚାରିଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଯଦି ସେଭଳି ହୁଏ ତେବେ ମେ’ ୨୨ରୁ ୨୪ ମଧ୍ୟରେ ମୌସୁମୀ କେରଳ ପହଁଚିଯିବ । ଗତ ୫ ବର୍ଷ ମଧ୍ୟରେ ମୌସୁମୀ ମେ’ ଶେଷ କିମ୍ବା ଜୁନ୍ରେ ହିଁ କେରଳ ପହଁଚିବାର ନଜିର ରହିଛି । ୨୦୨୦ରେ ଜୁନ୍ ପହିଲା, ୨୦୨୧ରେ ଜୁନ୍ ୩, ୨୦୨୨ରେ ମେ’ ୨୯, ୨୦୨୩ରେ ଜୁନ୍ ୮ ଓ ୨୦୨୪ରେ ମେ’ ୩୦ରେ ମୌସୁମୀ କେରଳ ଛୁଇଁଥିଲା । ଅପରପକ୍ଷରେ ଆସନ୍ତା ୨୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବ । ଏଥିପାଇଁ ୨୫ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି ।