ହାଇୱା-ବାଇକ୍ ଧକ୍କା : ନାବାଳକ ମୃତ, ୩ ଗୁରୁତର

 ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଘସିଏନ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଏଥିରେ ଜଣେ ନାବାଳକଙ୍କ ମୃତୁ୍ୟ ହୋଇଛି । ଏହାସହ ତିନିଜଣ ଗୁରୁତର ହୋଇଛନ୍ତି ।   ଏଠାରେ ଏକ ହାଇୱାକୁ ଗୋଟିଏ ବାଇକ୍କୁ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଲରମ୍ଭା ଥାନା ବାଘମୁଣ୍ଡର ଭୀମ ବରିହା ତାଙ୍କ ଶ୍ୱଶୁରଘର ପାଟଣାଗଡ଼ ବ୍ଲକ୍ ବିଲେଇସାଥୀରେ ରହୁଥିବା ବେଳେ ଆଜି ରବିବାର ସକାଳେ ଭୀମ ଏକ ବାଇକ୍ରେ ସ୍ତ୍ରୀ ଚନ୍ଦ୍ରିକା, ପୁଅ ଚିରଞ୍ଜିତ ଓ ସମ୍ପର୍କୀୟ ଶାଳକ ଯୁଗଳ ବରିହାଙ୍କ ସହ ଲରମ୍ଭା ନିକଟ ସଁକ୍ରିପାଲି ଗାଁକୁ ଯାଉଥିଲେ । ଯୁଗଳ ବାଇକ୍ ଚଳାଉଥିବା ବେଳେ ଘସିଏନ- ଲରମ୍ଭା ରାସ୍ତାରେ ଏକ ବାଲିବୋଝେଇ ହାଇୱା ହଠାତ୍ ବ୍ରେକ୍ ମାରିଦେବାରୁ ବାଇକ୍ଟି ହାଇୱା ପଛପଟେ ପିଟି ହୋଇଥିଲା । ଏଥିରେ ଭୀମ ବରିହାଙ୍କ ୪ ବର୍ଷର ପୁଅ ଚିରଞ୍ଜିତର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଆଉ ସେପଟେ ଚାଳକ ଯୁଗଳ, ଭୀମ ଓ ଚନ୍ଦ୍ରିକା ଆହତ ହୋଇଥିଲେ । ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଇଥିବା ବେଳେ ଯୁଗଳଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଇଥିଲେ । ଲରମ୍ଭା ପୁଲିସ ଏକ ମାମଲା ରୁଜୁକରି ହାଇୱାକୁ ଅଟକ ରଖି ତଦନ୍ତ ଜାରି ରଖିଛି ।