ପ୍ରବାସୀ ଭାରତୀୟ ଦିବସ : ଜୋରଦାର ପ୍ରସ୍ତୁତି
ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି । କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରାୟ ୫ ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବେ । ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ । ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଶନିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଜାନୁଆରୀ ୮ ତାରିଖ ସନ୍ଧ୍ୟା ୭ରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ ଅବତରଣ କରିବେ । ରାତ୍ର ୮.୧୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ଏହା ପରଦିନ ୯ ତାରିଖରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ କାର୍ୟ୍ୟକ୍ରମରେ ଯୋଗଦାନ ପରେ ପୂର୍ବାହ୍ନ ୧୧.୫୫ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ସେହିପରି ରାଷ୍ଟ୍ରପତି ଜାନୁଆରୀ ୯ ତାରିଖ ଅପରାହ୍ନ ୩ ଟାରେ ଗୌହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ବାହାରିବେ । ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନରେ ରହଣୀ କରିବେ । ରାଷ୍ଟ୍ରପତି ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ପୂର୍ବାହ୍ନ ୧୧ଟା ୪୦ରେ ଜନତା ମଇଦାନରେ ପହଞ୍ଚିବେ । ସେଦିନ ସେଠାରେ ଆୟୋଜିତ ଅନ୍ୟ କାର୍ୟ୍ୟକ୍ରମ ସହିତ ତ୍ରିନିଦାନ ଓ ଟୋବାଗୋର ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ରାଷ୍ଟ୍ରପତି ସେଦିନ ଅପରାହ୍ନ ୩ଟାରେ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ । କାର୍ୟ୍ୟକ୍ରମ ପରେ ଅପରାହ୍ନ ୫.୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରତ୍ୟାବର୍ତ୍ତନ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଭଲ ଭାବେ ଆୟୋଜନ ପାଇଁ ସବୁ ସ୍ତରରେ ସମସ୍ତେ ସହଯୋଗ ଜାରି ରଖିଛନ୍ତି । ପ୍ରଶାସନିକ ସ୍ତରରେ ଯେପରି ସହଯୋଗ ରହିଛି, ତାହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ପ୍ରବାସୀ ଭାରତୀୟଙ୍କ ସୁଖଦ ଅନୁଭୂତି, ଓଡ଼ିଶାର ସମ୍ମାନ ରହିବ, ଏଥିପାଇଁ ସମସ୍ତ ବିଭାଗୀୟ ସଚିବ ଓ ପଦାଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଭବନରେ ସାମୟିକ ରହଣୀ ବ୍ୟବସ୍ଥା, ସୁରକ୍ଷା, କାରକେଡ ବ୍ୟବସ୍ଥା, କାର୍ୟ୍ୟକ୍ରମ ସ୍ଥଳକୁ ଯିବା ଆସିବା ବ୍ୟବସ୍ଥା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ରାସ୍ତାର ପରିସ୍କାର ପରିଚ୍ଛନ୍ନତା, କାର୍ୟ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସହିତ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ସୁବିଧା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ ସୁବିଧା, ବେରିକେଡିଂ ବ୍ୟବସ୍ଥା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଆବଶ୍ୟକ ପାସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ବ୍ୟବସ୍ଥା ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତି ଥର ଭଳି ଏଥର ମଧ୍ୟ ଗୃହ ବିଭାଗ ତରଫରୁ ନିୟନ୍ତ୍ରଣ କକ୍ଷ କାର୍ୟ୍ୟ କରିବ ।