ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ : ପୂରଣ ହେବ ୩ ଶହ ପଦବୀ


 ଭୁବନେଶ୍ୱର: ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ  । ସେମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର  । ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ୱର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି  । 
ସୂଚନାଯୋଗ୍ୟଯେ, ଆଜି ସମୁଦାୟ ୯୧୧ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି  । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି  । ଡିସେମ୍ୱର ସୁଦ୍ଧା ପୂରଣ ପାଇଁ ନିଦେ୍ର୍ଦଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।  ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି  । ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍ ରହିବା ଆବଶ୍ୟକ  । ଏଦିଗରେ ଆଜି  ନୂଆକରି ଦାୟିତ୍ୱ ନେଉଥିବା ଓ ବିଭାଗରେ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ନିଯୋଦ୍ଧାମାନେ ସଚେତନ ରହିବା ଆବଶ୍ୟକ  । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି  । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି  । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ ଦ ବେଷ୍ଟ ଇନ୍ ବିଜିନେସ୍ ଇନ ଦ କଣ୍ଟି୍ର ବୋଲି ସେ କହିଥିଲେ  । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍ ଆଟେଣ୍ଡ କରିଛନ୍ତି  । ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆମେ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛୁ  । ଏହି ସିମୁଲେଟର ମାଧ୍ୟମରେ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ  । ଏଥିସହିତ କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି  । ୧୦ କୋଟି ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ  । ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୋଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ  । ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ  । ଜଳସୁରକ୍ଷା ପ୍ରତି ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉ  । ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ତରଣ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ  । ପ୍ରତ୍ୟେକ ଅଗ୍ନିଶମ ଗାଡ଼ିରେ ଫାଷ୍ଟଏଡ କିଟ ଓ ଆଧୁନିକ ଷ୍ଟ୍ରେଚର ରଖନ୍ତୁ  । ଯାହାଦ୍ୱାରା ଅନେକ ଅମୂଲ୍ୟ ଜୀବନ ଗୋଲଡେନ ଆୱାର ଭିତରେ ବଞ୍ଚାଯାଇପାରିବ  । ଏଥିସହିତ ବିଭିନ୍ନ ଅନୁଷ୍ଠାନ ଯେପରିକି ମେଡିକାଲ, ସ୍କୁଲ କଲେଜ କ୍ୟାମ୍ପସ, ଆପାର୍ଟମେଣ୍ଟ, ବାଣିଜ୍ୟ ଅନୁଷ୍ଠାନଗୁଡ଼ିକରେ ସେଠାକାର କର୍ମଚାରୀମାନଙ୍କୁ ନିଆଁକୁ ଆୟତ୍ତ କରିବା ସମ୍ୱନ୍ଧୀୟ ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଗ୍ନିଯୋଦ୍ଧା ଶୀର୍ଷକ ଏକ ଥିମ୍  ସଙ୍ଗ ଲୋକାର୍ପିତ କରିବା ସହ ଏକ ଚାରାରୋପଣ କରିଥିଲେ  ।  ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପ୍ରଶିକ୍ଷାର୍ଥୀଙ୍କ ପରିବାର ସଦସ୍ୟ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ  । ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିଦେ୍ର୍ଦଶକ ଡ. ସୁଧାଂଶୁ ଷଡଙ୍ଗୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ  । ଉପ ମହାନିରୀକ୍ଷକ ଉମାଶଙ୍କର ଦାଶ ଦୀକ୍ଷାନ୍ତ ସମାରୋହରେ ପ୍ରଶିକ୍ଷାର୍ଥୀଙ୍କୁ ଶପଥ ପାଠ କରାଇଥିଲେ  ।