ଅନଲାଇନ ଗେମିଂ ଆଇନ ପ୍ରଥମ ଶିକାର କଂଗ୍ରେସ ବିଧାୟକ
ବେଙ୍ଗାଲୁରୁ: ଅନଲାଇନ୍ ଗେମିଂ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଆଇନର ପ୍ରଥମ ଶିକାର ହୋଇଛନ୍ତି କଂଗ୍ରେସର ଜଣେ ବିଧାୟକ । ବେଆଇନ ବେଟିଂ କାର୍ଯ୍ୟ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) ଶୁକ୍ରବାର ଓ ଶନିବାର ଦିନ ଭାରତର ୩୧ଟି ସ୍ଥାନରେ ବ୍ୟାପକ ତଲାସୀ କରିଥିଲା । ଏହି ସମୟରେ କର୍ଣ୍ଣାଟକର ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବେଆଇନ ଅନଲାଇନ୍ ଏବଂ ଅଫଲାଇନ୍ ବେଟିଂରେ ସମ୍ପୃକ୍ତି ସମ୍ପର୍କରେ ଚାଲିଥିବା ତଦନ୍ତ ସହିତ ଜଡିତ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଆଜି ଗିରଫ କରାଯାଇଛି । ତଲାସୀ ସମୟରେ ଇଡି ପ୍ରାୟ ୧୨ କୋଟି ଟଙ୍କା ନଗଦ ଜବତ କରିଛି । ଏହାସହ ୧ କୋଟି ଟଙ୍କା ବିଦେଶୀ ମୁଦ୍ରା, ପ୍ରାୟ ୬ କୋଟି ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ୧୦ କିଲୋ ରୁପା ଜିନିଷ ଓ ଚାରୋଟି ଉଚ୍ଚÿମାନର ଯାନ ଅନ୍ତର୍ଭୁକ୍ତ । ଇଡି ୧୭ ଟି ବ୍ୟାଙ୍କ ଆକାଉଣ୍ଟ ଓ ଦୁଇଟି ବ୍ୟାଙ୍କ ଲକରକୁ ମଧ୍ୟ ଅଚଳ କରିଛି । ଏହି ସମୟରେ ବୀରେନ୍ଦ୍ରଙ୍କ ଭାଇ କେସି ନାଗରାଜ ଓ ତାଙ୍କ ପୁଅ ପୃଥ୍ୱୀ ଏନ ରାଜଙ୍କ ପରିସରରୁ ଅନେକ ସମ୍ପତ୍ତିର କାଗଜପତ୍ର ଜବତ କରାଯାଇଛି । ତଲାସୀରୁ ଜଣାପଡିଛି ଯେ ଚିତ୍ରଦୁର୍ଗର ବିଧାୟକ କିଙ୍ଗ୫୬୭ ଏବଂ ରାଜା୫୬୭ ନାମରେ ଏକାଧିକ ବେଟିଂ ପ୍ଲାଟଫର୍ମ ଚଳାଉଥିଲେ । ତାଙ୍କ ଭାଇ କେସି ଥିପ୍ସସ୍ୱାମୀ, ଦୁବାଇସ୍ଥିତ ତିନୋଟି ଫାର୍ମ - ଡାଇମଣ୍ଡ ସଫ୍ଟେକ୍, ଟିଆରଏସ ଟେକ୍ନୋଲୋଜି ଏବଂ ପ୍ରାଇମ୯ ଟେକ୍ନୋଲୋଜି ପରିଚାଳନା କରୁଥିବା ଜଣାପଡିଛି । ଯାହା ଅଭିଯୋଗ ଅନୁଯାୟୀ ବେଟିଂ ନେଟୱାର୍କ ସହିତ କଲ୍ ସେଣ୍ଟର ଏବଂ ଗେମିଂ ଅପରେସନ ଜଡିତ ।ଗ୍ୟାଙ୍ଗଟକ୍, ଚିତ୍ରଦୁର୍ଗ ଜିଲ୍ଲା, ବେଙ୍ଗାଲୁରୁ, ହୁବଲି, ଯୋଧପୁର, ମୁମ୍ବାଇ ଏବଂ ଗୋଆରେ ଏହି ଚଢାଉ କରାଯାଇଛି । ଯେଉଁଥିରେ ପାଞ୍ଚଟି ପ୍ରମୁଖ କାସିନୋ - ପପି'ସ୍ କାସିନୋ ଗୋଲ୍ଡ, ଓସିଆନ୍ ରିଭର୍ସ କାସିନୋ, ପପି'ସ୍ କାସିନୋ ପ୍ରାଇଡ୍, ଓସିଆନ୍ ୭ କାସିନୋ ଏବଂ ବିଗ୍ ଡ୍ୟାଡି କାସିନୋ ଅନ୍ତର୍ଭୁକ୍ତ । ଅପରାଧୀକ ସାମଗ୍ରୀ ଉଦ୍ଧାର ପରେ ଇଡି ଆଜି ଗ୍ୟାଙ୍ଗଟକରୁ ବୀରେନ୍ଦ୍ରଙ୍କୁ ଗିରଫ କରିଥିଲା । ତାଙ୍କୁ ସିକିମର ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା, ଯେଉଁଠାରେ ତାଙ୍କୁ ବେଙ୍ଗାଲୁରୁର ନ୍ୟାୟିକ ଅଦାଲତରେ ହାଜର କରିବା ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯାଇଥିଲା ।