ଅଜଣା ଗାଡି ଧକ୍କାରେ ଛାତ୍ରୀ ଗୁରୁତର
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଧକୋଠା ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପ୍ରତିବାଦରେ ସ୍କୁଲ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାସ୍ତା ରୋକ କରିଥିଲେ । ସୂଚନା ଅନୁଯାୟୀ ଧକୋଠା ଉଚ୍ଚ ମାଧ୍ୟମିକ ସ୍କୁଲର +୨ ପ୍ରଥମ ବର୍ଷ ଛାତ୍ରୀ ପାନ ମୁର୍ମୁ ସଖାଳେ ବିଦ୍ୟାଳୟକୁ ଯାଉଥିବା ସମୟରେ ହଠାତ ଏକ କାର ଅନ୍ୟ ଏକ ଗାଡିକୁ ଓଭର ଟେକ୍ କରି ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଖବର ପ୍ରଚାରିତ ହେବା ପରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧକୋଠା ଛକରେ ଅଣ୍ଡର ପାସ୍, ସ୍ପିଡ଼ ବ୍ରେକର ଏବଂ ସ୍କୁଲର ଏକ ସାଂକେତିକ ବୋର୍ଡ ଦାବିରେ ରାଜ ରାସ୍ତାକୁ ଓହ୍ଲାଇ ରାସ୍ତା ରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିଲା । ଖବର ପାଇ ଘସିପୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ପରେ ତାଙ୍କର ଦାବି ପ୍ରତି ଉପରିସ୍ଥ ଅଧିକାରୀଙ୍କୁ ଖୁବ ଶୀଘ୍ର ଅବଗତି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ଉଠିଥିଲା ।