ଛାତ୍ରଛାତ୍ରୀଙ୍କୁ ଭସାଣି ମନା
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗଣେଶ ମୂର୍ତ୍ତି ଭସାଣୀକୁ ନେଇ କଡାକଡି ନିଦେ୍ର୍ଦଶ ଜାରି କରାଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟ ସମସ୍ତ ସ୍କୁଲ ଓ ହଷ୍ଟେଲରେ ରହୁଥିବା ଛାତ୍ରାଛାତ୍ରମାନେ ଭସାଣୀ ସମୟରେ ପାଣିକୁ ନଓହ୍ଲାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି । କେବଳ ଶିକ୍ଷକ, ମେଟ୍ରନ ଓ ସିସିଏ ପାଣି ଭିତରକୁ ଯାଇ ମୂର୍ତ୍ତି ବିସର୍ଜନ କରିବେ ବୋଲି ସମସ୍ତ ସ୍କୁଲକୁ ନିଦେ୍ର୍ଦଶ ଦିଆଯାଇଛି । ଗତ ବର୍ଷ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ଗୋଷ୍ଠାଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ଏବଂ ଲକ୍ଷ୍ମୀପୋଷୀ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ସମୟରେ ୨ଜଣ ଓଏଭି ହଷ୍ଟେଲ ଛାତ୍ର ସୁବର୍ଣ୍ଣରେଖା କେନାଲରେ ଭାସି ଜଳସମାଧି ନେଇଥିଲେ । ସେହିପରି ଏକ ବେସରକାରୀ ଅନୁଷ୍ଠାନର ଦୁଇ ଛାତ୍ର ମଧ୍ୟ ପାଣିରେ ଭାସିଯାଇ ମୃତୁ୍ୟବରଣ କରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ଜିଲ୍ଲାପାଳ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଭସାଣୀକୁ ନେଇ କଡା ନିୟମ ପାଳନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପୂଜା ସମୟରେ ଅନ୍ତେବାସୀମାନଙ୍କୁ ବାହାରକୁ ଛାଡିବାକୁ ବାରଣ କରାଯିବା ସହ ଚଲାପଥରେ ବ୍ଲିଚିଂ ଓ ଫିନାଇଲ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।