ପରିଡ଼ା ଏଚପି ଗ୍ୟାସରୁ ଚୋରି; ପୁଲିସର ଛାନବିନ

ବୈତରଣୀ ରୋଡ଼: ଶନିବାର ରାତିରେ କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡାଇ ବଜାରରେ ଥିବା ପରିଡ଼ା ଏଚପି ଗ୍ୟାସ ଏଜେନ୍ସିରୁ ଚୋରି ହୋଇଛି । ଦୁର୍ବୃତ୍ତ ଗାସ ଗୋଦାମ ଘର ଝରକା ରଡ଼ କାଟି ଭିତରେ ଥିବା ଆଲମିରାରୁ ଅଢେଇ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଚୋରି କରିନେଇଛନ୍ତି । ଏନେଇ ଅଭିଶେକ ପରିଡ଼ା ଏତଲା କରିବା ପରେ ପୁଲିସ ଘଟଣା ସ୍ତଳରେ ପହଞ୍ଚିି ଛାନବିନ ଆରମ୍ଭ କରିଛି । ଅଭିଶେକ କରିଥିବା ଏତଲା ମତେ ସେ ଗତକାଲି ରାତିରେ ଗୋଦାମ ଘର ଏବଂ କାର୍ଯ୍ୟାଳୟ ତାଲା ପକାଇ ଘରକୁ ଯାଇଥିଲେ । ତେବେ ଆଜି ସକାଳ ୮ଘଟିକା ସମୟରେ କାର୍ଯ୍ୟାଳୟ ଘର ଖୋଲି ଭିତରକୁ ଯାଇ ଦେଖିଲା ବେଳକୁ ଝରକାରଡ଼ ଗୁଡ଼ିକ କଟାଯାଇଥିଲା । ଚଟାଣ ବାଲି ଏବଂ ମାଟିରେ ସଲବଲ ଥିଲା । ଗୋଦାମ ଘର ଭିତରକୁ ଯାଇ ଦେଖିଲା ବେଳେ ତାହା ସୁରକ୍ଷିତ ରହିଥିଲେ ହେଁ ସଂଲଗ୍ନ ଅନ୍ୟଏକ ଘରର ତାଲା ଭାଙ୍ଗିଦିଆଯାଇଥିଲା ।
ଉକ୍ତ ଘର ଭିତରକୁ ଯାଇ ଦେଖିଲା ବେଳକୁ ସେଠିଥିବା ଏକ ଆଲମିରାକୁ ଭାଙ୍ଗି ଦୁର୍ବୃତ୍ତ ଗ୍ୟାସ ସିଲିଣ୍ଡର ଆଣିବା ପାଇଁ ରଖାଯାଇଥିବା ୨ଲକ୍ଷ୪୧ହଜାର ୫ଶହ ଟଙ୍କା ସହ କିଛି ଜରୁରୀ କାଗଜପତ୍ର ଚୋରି ହୋଇଯାଇଥିଲା । କାର୍ଯ୍ୟାଳୟ ଭିତରେ ଥିବା କ୍ୟାସ ବାକ୍ସରୁ ୭୦୬୦ ଟଙ୍କା ଏବଂ କାଗଜପତ୍ର ଚୋରି ହୋଇଯାଇଛି । ଦୁର୍ବୃତ୍ତ ଲାଗିଥିବା ସିସି କ୍ୟାମେରାର ଡ଼ିଭିଆରକୁ ଖୋଲି ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ପୁଲିସ ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନେ୍ଦହରେ କେତେକଙ୍କୁ ପଚରା ଉଚରା କରିଛି । ତେବେ ବରୁଣ୍ଡାଇ ଭଳି ବ୍ୟସ୍ତ ବହୁଳ ଅଞ୍ଚଳରୁ ଦୁର୍ବୃତ ଗ୍ୟାସ ଗୋଦାମରେ ପସି ଲକ୍ଷାଧିକ ଟଙ୍କା ଚୋରି କରିନେବା ଘଟଣା ପଛରେ ଜଣାଶୁଣାଙ୍କ ସଂପୃକ୍ତି ଥିବା ଆଲୋଚନା ହେଉଛି । ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସମୟରେ ଅଞ୍ଚଳରୁ ଛୋଟବଡ଼ ଚୋରି ଘଟଣା ଘଟୁଥିବାର ଅଭିଯୋଗ ହେଉଛି । ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାର ଅଛି ।