ଶିକ୍ଷକଙ୍କ ପାଇଁ ଟିଇଟି ପାସ୍ ବାଧ୍ୟତାମୂଳକ
ନୂଆଦିଲ୍ଲୀରୁ : ଶିକ୍ଷକ ଚାକିରୀ କରୁଥା’ନ୍ତୁ ବା ଶିକ୍ଷକ ଚାକିରୀ ପାଇଁ ଆଶାୟୀ ଥାଆନ୍ତୁ, ସମସ୍ତଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ । ସୁପ୍ରିମ୍କୋର୍ଟ ଆଜି ଏହି ରାୟ ଦେଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି, ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ସେହିସବୁ ଶିକ୍ଷକମାନଙ୍କୁ ଅବସର ଦିଆଯିବ ବୋଲି ବି ସୁପ୍ରିମକୋର୍ଟ କହିଛନ୍ତି । ଯେଉଁ ଶିକ୍ଷକମାନେ ଚାକିରୀ କରିଥିବେ, କିନ୍ତୁ ସେମାନଙ୍କ ଅବସର ସମୟ ୫ ବର୍ଷରୁ ଅଧିକ ଥିବ ସେମାନଙ୍କୁ ଟିଇଟି ପରୀକ୍ଷା ଦେବାକୁ ପଡ଼ିବ । ୫ ବର୍ଷରୁ କମ୍ ଅବସର ସମୟ ଥିଲେ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ୨୦୦୯ ଆରଟିଇ ଆଇନ୍ ଆସିବା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଟିଇଟି ପରୀକ୍ଷା ଦେବାକୁ ପଡ଼ିବ । ୨ ବର୍ଷ ମଧ୍ୟରେ ସେମାନଙ୍କୁ ଟିଇଟି ପରୀକ୍ଷାରେ ପାଶ୍ କରିବାକୁ ପଡ଼ିବ । ନଚେତ୍ ସେମାନଙ୍କୁ ଅବସର ଦିଆଯିବ ଦ୍ଭ ବାଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ତେବେ ସଂଖ୍ୟାଲଘୁ ବିଦ୍ୟାଳୟରେ ଚାକିରୀ କରିଥିବା ଶିକ୍ଷକମାନଙ୍କୁ ଏବେ ଟିଇଟି ପରୀକ୍ଷା ବାଧ୍ୟତାମୂଳକ ନୁହେଁ । ବୃହତ ଖଣ୍ଡପୀଠ ଏନେଇ ନିଷ୍ପତ୍ତି ନେବବୋଲି କୁହାଯାଇଛି । ୨୦୧୧ ଜୁଲାଇ ୨୯ରେ ଏନସିଟିଇ ପକ୍ଷରୁ ଟିଇଟି ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିଲା । ଆଜି ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣୀ କରିଥିଲେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ମନମୋହନ । ଧାରା ୧୪୨ର ଅବତାରଣା କରି ଦୁଇ ଜଣିଆ ଖଣ୍ଡପୀଠ କହିଥିଲେଯେ, ଯେଉଁ ଶିକ୍ଷକଙ୍କ ଅବସର ବୟସ ସୀମା ୫ ବର୍ଷରୁ କମ୍ ଥିବ ସେମାନେ ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ସେହି ଶିକ୍ଷକମାନେ ଯଦି ପଦୋନ୍ନତି ପାଇବାକୁ ଚାହିଁବେ ତେବେ ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।