ଓଡ଼ିଶାରେ ଲକ୍ଷେ ଲକ୍ଷପତି ଦିଦି
1 Lakh Lakhyapati Didi
ଏ ବର୍ଷର ଟାର୍ଗେଟ୍ ୧୬ ଲକ୍ଷ
ଭୁବନେଶ୍ୱର : ଓଡ଼ିଶାରେ ସୃଷ୍ଟି ହୋଇଛନ୍ତି ୧ ଲକ୍ଷ ଲକ୍ଷପତି ଦିଦି । ସେମାନଙ୍କୁ ସମ୍ବଦ୍ଧ୍ୱର୍ିତ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିର ଲକ୍ଷ୍ୟ ରହିଛି । ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।
ମହିଳାମାନଙ୍କୁ ଆର୍ଥିକସ୍ତରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା "ଲକ୍ଷପତି ଦିଦି" ଯୋଜନାର ଶୁଭାରମ୍ଭ ହୋଇଛି । ସେମାନଙ୍କ ଦକ୍ଷତା ବୃଦ୍ଧି ସହ ଉଦ୍ୟୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ମିଶନ ଶକ୍ତି ମହିଳାମାନଙ୍କ ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଜଲଗାଁଓ ଠାରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ଲକ୍ଷ ନୂଆ “ଲକ୍ଷପତି ଦିଦି”ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମସ୍ତ ବ୍ଲକରେ ଆୟୋଜନ କରାଯାଇଥିଲା । ପ୍ରତି ବ୍ଲକରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଛି । ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ବଳିଷ୍ଠ ଭୂମିକା ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ “ଲକ୍ଷପତି ଦିଦି” ଗଢିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା “ଲକ୍ଷପତି ଦିଦି” ହୋଇଛନ୍ତି ।