ଅଧାରେ ଅଟକିଛି କଂସେଇଖାନା ନିର୍ମାଣ  


ଖଣ୍ଡପଡାରୁ ପୂର୍ଣ୍ଣ ମହାପାତ୍ର: ରାସ୍ତା ପାର୍ଶ୍ୱରେ ମାଂସ କଟା ବନ୍ଦ ସହ ଦୈନିକ ମାଂସ କାଟିବା ପାଇଁ ଖଣ୍ଡପଡା ବାଇପାସ ରାସ୍ତା ପାର୍ଶ୍ୱରେ ଏକ କଂସେଇଖାନା ନିର୍ମାଣ ନିମନ୍ତେ ଏନ୍ଏସି ପ୍ରଶାସନ ପକ୍ଷରୁ ବର୍ଷକ ତଳେ ଜନୈକ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କାର୍ଯ୍ୟ ଆରମ୍ଭ ହେବାର ୧୮ ମାସ ପରେ ବି ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଏନ୍ଏସି କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ  ଆଗେଇ ପାରୁ ନଥିବା ଅଭିଯୋଗ ହୋଇଛି । କାର୍ଯ୍ୟ ତଦାରଖ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କ ମନମାନୀ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୯ ଲକ୍ଷ ଟଙ୍କାରେ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା । ମାତ୍ର ଇତି ମଧ୍ୟରେ ପ୍ରାୟ ଦେଢ ବର୍ଷ ବିତିଥିବା ବେଳେ ପ୍ରକଳ୍ପ କାମ ଶେଷ ହୋଇପାରିନାହିଁ । ଏନଏସି ପକ୍ଷରୁ ସ୍ୱଚ୍ଛ ଆମିଷ ମାର୍କେଟ ମଧ୍ୟରେ ଲୋକମାନେ ନିଜ ଗାଡି କୁ ସୁରକ୍ଷିତ ଭାବେ ରଖିବାପାଇଁ ସ୍ୱତନ୍ତ୍ର ପାର୍କିଙ୍ଗ ସୁବିଧା ବ୍ୟବସ୍ଥା ସହିତ ମାଂସ ଦୋକାନ, ଚିକେନ ଦୋକାନ ସହିତ ମାଛ ଦୋକାନ ରହିବାର ବ୍ୟବସ୍ଥା କରାଯାଇଥିଲା । ଲୋକମାନେ ଗୋଟିଏ ଜାଗାରେ ସମସ୍ତ ପ୍ରକାର ଆମିଷ ଜିନିଷ କିଣିବାର ସୁବିଧା ସହିତ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଲକ୍ଷ ରଖାଯାଇଥିଲା । ଏପରିକି ପ୍ରକଳ୍ପ ନିର୍ମାଣ ସରିଲେ ସମସ୍ତ ଆମିଷ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଏହି ମାର୍କେଟ ମଧ୍ୟରେ ରାସ୍ତା କଡରୁ ଉଚ୍ଛେଦ କରାଯାଇ ଥଇଥାନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ତେବେ ବର୍ଷେ ପରେ ମଧ୍ୟ ପ୍ରକଳ୍ପ କାମ ଅଧପନ୍ତରିଆ ଭାବେ ରହିଥିବା ଦେଖିବାକୁ ମିଳିଛି । ପ୍ରକଳ୍ପ ସ୍ଥାନରୁ ଫଳକ ଉଭାନ ହୋଇଯାଇଥିବା ବେଳେ, କାମ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପକ୍ଷରେ ପ୍ରକଳ୍ପ ନିର୍ମାଣ ହୋଇଥିବା ସ୍ଥାନ ଅତ୍ୟନ୍ତ ଖାଲୁଆ ହୋଇଥିବା ବେଳେ ଘରଗୁଡିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି । ଫଳରେ କାମ କେବେ ସରିବ ସେ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି । ସେହିପରି ପ୍ରକଳ୍ପ ଶେଷ ହେବାରେ ବିଳମ୍ବ ହେଉଥିବାରୁ ମାଂସ ବ୍ୟବସାୟୀ ମାନେ ସହରାଞ୍ଚଳ ମଧ୍ୟରେ ଦୋକାନ ନ କରି ସୀମାକୁ ଲାଗିଥିବା ଖଳିସାହି ଅଞ୍ଚଳରେ ରାସ୍ତା କଡରେ ଦୋକାନ କରିଛନ୍ତି । ଏନ୍ଏସି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।