ଜୈବ ଚାଷକୁ ମିଳିବ ପ୍ରୋତ୍ସାହନ ଆରମ୍ଭ ହେବ ବଳଭଦ୍ର ଜୈବିକ ଚାଷ ମିଶନ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ରାସାୟନିକ ସାର ବ୍ୟବହାର ଦ୍ୱାରା ଅମଳ ଅଧିକ ରହୁଛି କିନ୍ତୁ ମାଟିର ଉର୍ବରତା କମି ଯାଉଛି । ରାସାୟନିକ ସାର ପ୍ରୟୋଗ ଦ୍ୱାରା ଖାର ଅଂଶ ବୃଦ୍ଧି ପାଉଛି । ଲୋକମାନେ ମଧ୍ୟ ଅସୁସ୍ଥ ହୋଇପଡୁଛନ୍ତି । ମାଟିର ଉର୍ବର ଶକ୍ତି ବୃଦ୍ଧି ପାଇଁ ଜୈବିକ ଚାଷର ଉପଲବଧି ରହିଛି । ତେଣୁ ଏହି ଚାଷକୁ ପ୍ରୋସôାହନ ଦେବା ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ ବିଧାୟକ ଅଶ୍ୱିନୀ ପାତ୍ର । ଯାହାର ଉତ୍ତର ଦେଇ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ତାଙ୍କ କଥାରେ ଏକମତ ହୋଇଥିଲେ । ଆଦିବାସୀ ଅଞ୍ଚଳରେ ହିଁ ଜୈବିକ ଚାଷ ହେଉଥିବା ମନ୍ତ୍ରୀ କହିଥିଲେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ଜୈବିକ ଚାଷ ହେଉଛି । ରାସାୟନିକ ସାର ନେଇ ମନ୍ତ୍ରୀ କହିଥିଲେ ଯେ, ପଞ୍ଜାବରେ ଅଧିକ ଅମଳ ପାଇଁ ଏହି ସାରର ବହୁଳ ବ୍ୟବହାର ଦ୍ୱାରା ସେଠାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚିକିତ୍ସା ପାଇଁ ପଞ୍ଜାବରୁ ମୁମ୍ବାଇ ଏକ ଟ୍ରେନ ଚାଲୁଛି । ତେଣୁ ଆମ ରାଜ୍ୟରେ ଜୈବିକ ସାର ଦ୍ୱାରା ଚାଷକାର୍ଯ୍ୟ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ଚାହୁଁଛନ୍ତି ସମସ୍ତେ ଜୈବିକ ଚାଷ କରନ୍ତୁ । ରାସାୟନିକ ସାର ପ୍ରୟୋଗ ଦ୍ୱାରା ଅମଳ ବଢୁଛି ବୋଲି ଭାବିବାଟା ଭୁଲ୍ । ଏହା ପ୍ରୟୋଗ ଦ୍ୱାରା ଖାଦ୍ୟ ଶସ୍ୟ ବୃଦ୍ଧି ହୋଇପାରେ, ଜୈବିକ ଚାଷ ଦ୍ୱାରା ମାଟି ଉର୍ବରତା ବଢୁଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଛ, ଚିକେନ ଓ ଅନ୍ୟ ସାମଗ୍ରୀରେ ରାସାୟନିକ ଖାଦ୍ୟ ବ୍ୟବହାର ଦ୍ୱାରା ମେଦ ବହୁଳତା ସହ କ୍ୟାନ୍ସର ମାମଲା ବୃଦ୍ଧି ପାଉଛି । ତେଣୁ ସମସ୍ତଙ୍କୁ ଅପିଲ କରୁଛି ସମସ୍ତେ ଜୈବିକ ଚାଷ ପଦ୍ଧତିକୁ ଆପଣାନ୍ତୁ । ବର୍ତ୍ତମାନ ରାଜ୍ୟରେ ଦୁଇଟା ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି । ପରମ୍ପରାଗତ ଏବଂ ପ୍ରାକୃତିକ କୃଷି ଜୈବିକ ପଦ୍ଧତିରେ ଚାଷ କରାଯାଉଛି । ପରମ୍ପରାଗତ କୃଷି ଯୋଜନାରେ ୧୦ଟି ଜିଲ୍ଲା ଏବଂ ପ୍ରାକୃତିକ କୃଷି ଯୋଜନାରେ ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟରେ ୨୦୧୮-୧୯ରୁ ଜୈବିକ କୃଷି ପଦ୍ଧତିରେ କୃଷି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉଭୟ ଆଙ୍କାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି (ବିପିକେପି) ପରମ୍ପରାଗତ କୃଷି ବିକାଶ ଯୋଜନାର ଉପଯୋଜନା ଅଟେ । ରାଜ୍ୟରେ କେନ୍ଦ୍ର ରାଜ୍ୟ(୬୦: ୪୦) ସହଭାଗିତାରେ ପରମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) ଅନ୍ତର୍ଗତ ଆଙ୍କାକ୍ଷୀ ଜିଲ୍ଲା ଜୈବିକ କୃଷି ଯୋଜନା ମାଧ୍ୟମରେ ୧୦ଟି ଜିଲ୍ଲାରେ ହଜାରେ ହେକ୍ଟର ଚାଷ ଜମିରେ ୨୦୨୧-୨୨ରୁ ୨୦୨୩-୨୪ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ଜୈବିକ କୃଷି କ୍ଷେତ୍ର ପ୍ରଦର୍ଶନ କରାଯାଇଛି । ଏହାଦ୍ୱାରା ୨୦୧୬ ଚାଷୀ ଉପକୃତ ହୋଇଛନ୍ତି । ସେହିପରି ବିପିକେପି ମାଧ୍ୟମରେ ୧୫ଟି ଜିଲ୍ଲାରେ ୨୪ହଜାର ହେକ୍ଟର ଚାଷ ଜମିରେ ଜୈବିକ କୃଷି ହୋଇଛି । ଏହା ୨୦୨୪-୨୫ ମସିହା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ୨୬୯୮୧ ଚାଷୀ ଉପକୃତ ହେଉଛନ୍ତି ।
ସେହିପରି ଏବେ ଯେଉଁମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶ ପଠାଇବାକୁ ଯୋଜନା କରଯାଉଛି । ବେଲି କାର୍ଗୋ ମାଧ୍ୟମରେ ବିଭିନ୍ନ ଫଳ, ପନିପରିବା ଦୁବାଇ ପଠାଯାଉଛି । ଢେଙ୍କାନାଳରୁ ଆମ୍ବ, ବଲାଙ୍ଗୀରରୁ ପୋଟଳ, ଆଜି ପାଟଣାଗଡ଼ରୁ ନିଜେ ଚାଷ କରିଥିବା ଡ୍ରାଗନ ଫ୍ରୁଟକୁ ଦୁବାଇ ପଠାଇଥିବା ଗୃହରେ କହିଛନ୍ତି କୃଷି ମନ୍ତ୍ରୀ । ଏନେଇ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସିଦ୍ଧାନ୍ତ ମହାପାତ୍ର, ରମେଶ ବେହେରା, ଲକ୍ଷ୍ମଣ ବାଗ, ରଘୁନାଥ ମାଛ, ଦିବ୍ୟଶଙ୍କର ମିଶ୍ର ଓ ଟଙ୍କଧର ତ୍ରିପାଠୀ ରାସାୟନିକ ସାର ବ୍ୟବହାର ଓ ମାଟିର ଉର୍ବରତା କମି ଯିବା ନେଇ ଉଦବେଗ ପ୍ରକାଶ କରିଥିଲେ । ମାଟିର ଉର୍ବରତା ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ସୋଏଲ ଟେଷ୍ଟିଂ କରାଯାଉଥିବା ମନ୍ତ୍ରୀ କହିଛନ୍ତି । ଚଳିତ ଆର୍ଥôକ ବର୍ଷ ୨୦୨୪-୨୦୨୫ ପାଇଁ ନୂଆ କରି ରାଜ୍ୟ ସରକାର ‘ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ’ (ଓବିଜେସିଏମ) ଆରମ୍ଭ କରିବାକୁ ଯାଉଛନ୍ତି । ଏହି ମିଶନ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଓ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସଂପୂର୍ଣ୍ଣ ରସାୟନ ତଥା ବିଷମୁକ୍ତ ଜୈବିକ ପ୍ରକ୍ରିୟାରେ ଫସଲ ଉତ୍ପାଦନ କରାଯିବ । ଏହି ମିଶନ ଦ୍ୱାରା ମୃତ୍ତିକାର ଅଙ୍ଗାରକ ବୃଦ୍ଧି ଓ ଉଦ୍ୟାନ କୃଷି ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।