କାଗଜ କଲମରେ ଚାଲିଛି ନିଖୋଜ ଗୁପ୍ତି ଫାଣ୍ଡି      

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଗୁପ୍ତି ଫାଣ୍ଡିର ଖୋଜ ଖବର ମିଳୁ ନାହିଁ  । ଫାଣ୍ଡି କେଉଁଠି ଅଛି, ଚାଲୁଛି କି ନାହିଁ,  ତାହା କେହି ଦେଖିପାରୁ ନାହାଁନ୍ତି  । ପୁଲିସ ବିଭାଗର ଫାଣ୍ଡି ଗାଏବ ହୋଇଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସରକାରୀ ରେକର୍ଡରେ ଫାଣ୍ଡି ଅଛି, ଅଥଚ ଲୋକେ ଫାଣ୍ଡି କେଉଁଠି ଚାଲୁଛି ତାହା ଜାଣିନଥିବା ବେଳେ, ପୁଲିସ ବ୍ୟବସ୍ଥାରେ କାଗଜପତ୍ରରେ କାହିଁକି ଏହି ଫାଣ୍ଡି ଚାଲୁଛି ତାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବସି ବସି ଦରମା ନେଉଛନ୍ତି କର୍ମଚାରୀ। ବଂଗୀୟ ଭାଷାଭାଷୀ ଅଂଚଳରେ ତାଳଚୁଆ ଫାଣ୍ଡି ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲା । କିନ୍ତୁ ତାଳଚୁଆରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାପରେ ଫାଣ୍ଡିକୁ ଗୁପ୍ତିକୁ ସ୍ଥାନାନ୍ତରୀତ କରିବା ପାଇଁ କେନ୍ଦ୍ରାପଡା ଏସ୍‌ପିଙ୍କ ଚିଠି ନଂ- ୨୦୦୨/ଇ-୦୧/୦୭/୨୦୧୪ରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହା ପରେ ଗୁପ୍ତିଠାରେ ଫାଣ୍ଡି ଖୋଲାଯିବା ପାଇଁ ସରକାରୀସ୍ତରରେ ମଂଜୁରୀ ପ୍ରଦାନ କରାଯାଇ ପଂଚାୟତ ଅଫିସରେ କିଛି ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା । ଏହି ଫାଣ୍ଡିରେ ଜଣେ ସବଇନିସପେକ୍ଟର କିମ୍ବା ଏଏସ୍‌ଆଇ, ଜଣେ ହାବିଲଦାର ଓ ୪ଜଣ କନେଷ୍ଟବଳ ପଦବୀ ମଂଜୁରୀ ହୋଇଛି । ବର୍ତମାନ ଏହି ଫାଣ୍ଡିରେ ୨ଜଣ କନେଷ୍ଟବଳ, ଜଣେ ସୁଇପର ଓ ୨ ଜଣ ହାବିଲଦାର  ଡିଉଟି କରୁଥିବା ଦର୍ଶାଇ ଦରମା ସରକାରୀ ତହବିଲରୁ ନେଉଛନ୍ତି । ମାତ୍ର ଫାଣ୍ଡି କେବଳ କାଗଜ କଲମରେ ହିଁ ଚାଲୁଛି । 

  • ସରକାରୀ ରେକର୍ଡରେ ଅଛି ହେଲେ ଲୋକଙ୍କ ପାଖରେ ପହଂଚୁନି

ଦିନକୁ ଦିନ ରାଜନଗର ଅଞ୍ଚଳରେ ଆଇନ ଶୃଙ୍ଖଳା ବୃଦ୍ଧି ପାଉଥିବା ବେଳେ, ଫାଣ୍ଡି ଗାଏବ ହୋଇଯିବା ଘଟଣା ପ୍ରଶାସନର ଦୁର୍ବଳତାକୁ  ପଦାରେ ପକାଉଛି । ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ଅଞ୍ଚଳକୁ ପ୍ରତ୍ୟହ ଏକାଧିକ ବୋଟ୍‌ ବାଂଲାଦେଶ ସମେତ ପଶ୍ଚିମବଙ୍ଗକୁ ଅବାଧରେ  ଯା’ଆସ କରୁଛି । ଏମାନଙ୍କୁ ଚେକିଂ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଏହି ଅଞ୍ଚଳ ରେ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଗୁପ୍ତି ଘାଟ ନିକଟରୁ ଜଣେ ଅନୁପ୍ରବେଶ କାରୀକୁ ସ୍ଥାନୀୟ ଲୋକେ ଧରିବା ସହ ତା ନିକଟରୁ ଗୋଟେ ବନ୍ଧୁକ ମଧ୍ୟ ଜବତ କରିଥିଲେ । ଏହା ସହ କଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଗୁପ୍ତି ଜଳପଥ ଦେଇ ଭିତରକନିକା ଯାଇଥାନ୍ତି  । 

ପର୍ଯ୍ୟଟକଙ୍କ ସୁରକ୍ଷା ସହ ସାତଭାୟା, ଗୁପ୍ତି ଓ ଇଶ୍ୱରପୁର ପଂଚାୟତର ୬୦ଟି ରାଜସ୍ୱ ଗ୍ରାମର ଆଇନଶୃଙ୍ଖଳା ଦାୟିତ୍ୱ ଗୁପ୍ତି ଫାଣ୍ଡିକୁ ଦିଆଯାଇଛି । ସବୁଠୁ ବଡକଥା ହେଲା ଗୁପ୍ତି ଫାଣ୍ଡି ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀ ଗୁପ୍ତି ଫାଣ୍ଡି କେଉଁଠି ସେମାନେ ଜାଣିଛନ୍ତି କି ନାହିଁ, ତାହା ମଧ୍ୟ ସନ୍ଦେହ ଘେରରେ । ଘର ପାଖରେ ପୁଲିସ ସେବା ପାଇବା ଖୁସିରେ ବିଭୋର ହୋଇପଡିଥିବା ୩ ପଂଚାୟତର ଅଧିବାସୀଙ୍କୁ ୨୫ କି.ମି ଦୂର ରାଜନଗର ଥାନାକୁ ଆସିବାକୁ ପଡୁଛି । ରେକର୍ଡରେ ଫାଣ୍ଡି ଚାଲିବା,କର୍ମଚାରୀ ନିଯୁକ୍ତି ଓ ସରକାରୀ ତହବିଲରୁ ଦରମା ନେଉଥିବା ବେଳେ, ଫାଣ୍ଡିର ଖୋଜଖବର ନମିଳିବା ଉଦ୍‌ବେଗ ସୃଷ୍ଟି କରିଛି। ଦିନକୁ ଦିନ ଗୁପ୍ତି ଅଂଚଳରେ ଆଇନି ଶୃଙ୍ଖଳା ବିଗୁଡୁଥିବା ବେଳେ, ତୁରନ୍ତ ଫାଣ୍ଡି କାର୍ଯ୍ୟକ୍ଷମ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।