ଚର୍ଚ୍ଚ ଛକ-ଧରଣୀଭୂୟାଁ ରାସ୍ତାକୁ ନୋ ପାର୍କିଂ ଜୋନ୍‌ ଘୋଷଣା ଦାବି 

କେନ୍ଦୁଝର : କେନ୍ଦୁଝର ସହରର ଚର୍ଚ୍ଚ ଛକ ଠାରୁ ଧରଣୀଭୂୟାଁ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତାକୁ ନୋ ପାର୍କିଂ ଜୋନ ଘୋଷଣା କରିବାକୁ ଦାବି ହୋଇଛି । ଏହି ଜରାଜୀର୍ଣ୍ଣ ରାସ୍ତା ପାଶ୍ୱର୍ରେ ଜିଲ୍ଲା ମୁଖ୍ୟ କାରାଗାର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରିଜର୍ଭ ପୁଲିସ କାର୍ଯ୍ୟାଳୟ, ପୁଲିସ ଲାଇନ ବିଦ୍ୟାଳୟ, ଷ୍ଟାଡିୟମ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,ଏସ୍‌ଡିପିଓ କାର୍ଯ୍ୟାଳୟ ଇତ୍ୟାଦି ଥିବାରୁ ରାସ୍ତାଟି ସର୍ବଦା ଜନଗହଳି ପୂର୍ଣ୍ଣ ହୋଇଥାଏ । ଏହି ରାସ୍ତା ଦେଇ ଜନସାଧାରଣ ଏବଂ ଛାତ୍ରଛାତ୍ରୀମାନେ ମେଡିକାଲ,ଡିଏନ୍‌ ହାଇସ୍କୁଲ,ପୁରୁଣା ସହର ଇତ୍ୟାଦି ଯିବା ଆସିବା କରିଥାନ୍ତି । ସାଧାରଣତଃ ସରସ୍ୱତୀ ଶିଶୁ ମନ୍ଦିର ଓ ପୁଲିସ ଲାଇନ ବିଦ୍ୟାଳୟ ସମ୍ମୁଖରେ ବହୁ ଭିଡ ପରିଲକ୍ଷିତ ହୋଇଥାଏ । ମାଛ ବ୍ୟବସାୟୀ ଓ ପରିବା ଦୋକାନୀମାନେ ମଧ୍ୟ ଜେଲ ଛକ ଠାରୁ ଚର୍ଚ୍ଚ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ସେମାନଙ୍କର ବ୍ୟବସାୟ କରିଥାନ୍ତି ।

କିନ୍ତୁ ଏହି ରାସ୍ତାରେ ବେଆଇନ ଗାଡି ପାର୍କିଂ ହେଉଥିବା ଯୋଗୁଁ ଆମ୍ବୁଲାନ୍ସ ଗାଡି, ଅଗ୍ନିଶମ ଗାଡି, ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସ୍କୁଲ ଭ୍ୟାନ ଟ୍ରାଫିକ ଜାମରେ ଫସି ରହୁଛି । ସାଧାରଣ ଲୋକମାନେ ମଧ୍ୟ ଯିବାଆସିବାରେ ଅସୁବିଧା ଭୋଗୁଛନ୍ତି । ଲୋକମାନେ ନିଜ ନିଜ ଗାଡି ରାସ୍ତା ଉପରେ ରଖି ମାଛ ଓ ପରିବା ଇତ୍ୟାଦି କ୍ରୟ କଲାବେଳେ ରାସ୍ତା ଜାମ ହୋଇ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟିଥାଏ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ କେତେକ ସ୍ଥାନରେ ସରକାରୀ ଜମି ଜବରଦଖଲ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇ ଲୋକଙ୍କ ଚଳପ୍ରଚଳରେ ଅସୁବିଧା ସୃଷ୍ଟି ହେଉଛି । 

ଉକ୍ତ ରାସ୍ତାରେ ଗୋଟିଏ ବେସରକାରୀ ମେଡିକାଲର ଗାଡି ପାର୍କିଂ ତାର ତଳ ମହଲାରେ ଥିବାବେଳେ, ଏହାକୁ ଅନେକ ସମୟରେ ଚାବି ପକାଇ ରଖାଯାଉଥିବାରୁ ମେଡିକାଲକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟମାନେ ସେମାନଙ୍କ ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ରାସ୍ତା ଉପରେ ରଖିବାକୁ ବାଧ୍ୟ ହୋଇଥାନ୍ତି । ଫଳରେ ସ୍କୁଲ ସମ୍ମୁଖ ସର୍ବଦା ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଉକ୍ତ ଜନ ଗହଳିପୂର୍ଣ୍ଣ ରାସ୍ତାକୁ ନୋ ପାର୍କିଂ ଜୋନ ଘୋଷଣା କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି । ଏ ନେଇ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଳଲିତ ନାୟକଙ୍କ ସହ ଯୋଗଯୋଗ କରିବାରୁ ନୋ ପାର୍କିଂ ଜୋନ୍‌ ଘୋଷଣା କରିବାକୁ ସେ ଆରଟିଓଙ୍କୁ ଚିଠି କରିବେ ବୋଲି ପ୍ରକାଶ କରିଛନ୍ତି ।