ଅନୁକୂଳଚନ୍ଦ୍ରଙ୍କର ଜନ୍ମୋତ୍ସବ

 ବାଲିପାଟଣା: ବନମାଳୀପୁର ସତ୍ସଙ୍ଗ ଶ୍ରୀ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ଜନ୍ମୋତ୍ସବ କଲେଜ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତୁ୍ୟଷରୁ ଯଥାବିଧି ପୂଜାପାଠ ସହିତ ନଗର ପରିକ୍ରମା ଓ ସଦଗ୍ରନ୍ଥ ପାଠ କରାଯାଇଥିଲା । ପୂର୍ବାହ୍ନରେ ଏକ ବିରାଟ ପଟୁଆରରେ ବାଲିପାଟଣା ଛକ ଠାରୁ ସୁସଜ୍ଜିତ ରଥରେ ଶ୍ରୀବିଗ୍ରହଙ୍କୁ ଉତ୍ସବ ସ୍ଥାନକୁ ଅଣାଯାଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଲଙ୍ଗଳେଶ୍ୱର ସତ୍ସଙ୍ଗ ମନ୍ଦିରର ସହ ଋତ୍ୱିକ ଚକ୍ରଧର ଜେନା ଯୋଗ ଦେଇ ମାନବୀୟ ଜୀବନ ଧାରାକୁ ଅଧିକ ଆନନ୍ଦମୟ କରିବାକୁ ଠାକୁରଙ୍କ ପ୍ରଦତ୍ତ ପଥ ଅନୁସରଣ ପାଇଁ ଉପଦେଶ ଦେଇଥିଲେ । ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରସାଦ ସେବନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶୀ ନୃତ୍ୟ, ଘୋଡ଼ା ନାଚ, ମ୍ୟାଜିକ ଶୋ’ଭଳି କାର୍ଯ୍ୟକ୍ରମକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ । ସତ୍ସଙ୍ଗ ମନ୍ଦିର ମୁଖ୍ୟ ବୈରାଗୀ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ଭକ୍ତମାନେ ସତ୍ସଙ୍ଗରେ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁରେନ୍ଦ୍ର ସାହୁ, ରଘୁନାଥ ଲେଙ୍କା, ପ୍ରଫୁଲ୍ଲ ସାହୁ, କେଦାରନାଥ ସାହୁ, ବ୍ରଜ କିଶୋର ସାହୁ, ଧୁର୍ଜଟି ସାହୁ, ବିଶ୍ୱମ୍ବର ସାହୁ, ରମେଶ ଚନ୍ଦ୍ର ସାହୁ, ବସନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।