ଫାଶୀ କାଠ ଦାନ ଦେଇଥିବା ବ୍ୟକ୍ତି ସମ୍ବର୍ଦ୍ଧିତ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଫାଶୀ କାଠ ଦାନ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପୁରୀ ବଡଦାଣ୍ଡ ସ୍ଥିତ ନୀଳାଦ୍ରୀ ଭକ୍ତ ନିବାସରେ ଆୟୋଜିଦ ସମ୍ବର୍ଦ୍ଧନା ଉତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ ୨୦୨୩ ଏବଂ ୨୦୨୪ ବର୍ଷ ରଥ ନିର୍ମାଣ ପାଇଁ ଫାଶୀ ପାଠ ଦାନ କରିଥିବା  ୮୬ଜଶ ଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଗୋଳ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଆଦି ଅଞ୍ଚଳର ବ୍ୟକ୍ତିବିଶେଷମାନେ ଫାଶୀ କାଠ ଦାନ କରିଥିଲେ । ମହାପ୍ରଭୁଙ୍କ ଶୁଖିଲି ଭୋଗ ସହ ଲାଗି ଖଣ୍ଡୁଆ, ଫୋଟୋ ଚିତ୍ର ଓ ମାନପତ୍ର  ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ ଗଜପତି ମହାରାଜା ଓ ମୁଖ୍ୟ ପ୍ରଶାସକ । ତେବେ ଆଗାମୀ ରଥଯାତ୍ରା ପାଇଁ ଫାଶୀ କାଠ ଦାନ କରିବାକୁ ଥିବା ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଇଚ୍ଛୁକ ବ୍ୟକ୍ତିମାନେ ମହାପ୍ରଭୁଙ୍କ ରଥ ନର୍ମାଣ ପାଇଁ ଫାଶୀ କାଠ ଦାନ କରିପାରିବେ । ସେହିପରି ରଥକାଠ ଅଭାବ ପୂରଣ ଦୂର କରିବା ପାଇଁ ୧୦୬ଟି ବନ ପ୍ରକଳ୍ପ ସୃଷ୍ଟି କରାଯାଇଛି । ଅନେକ ବର୍ଷ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଫାଶୀ କାଠ ଅଭାବ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ଦାତାମାନେ ନିଜ ବାରି, ବଗିତା ବା ଜମିରେ ଲାଗିଥିବା ଫାଶୀ କାଠ ଦାନ କରି ଆସୁଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।