ଜିଲ୍ଲାରେ ଡ୍ରପ୍‌ଆଉଟ ହାର ଚିନ୍ତାଜନକ : ଅଧାରୁ ପାଠ ଛାଡିଛନ୍ତି ୧୦,୪୦୫ ଛାତ୍ରଛାତ୍ରୀ 

ଜିଲ୍ଲାରେ ଡ୍ରପ୍‌ଆଉଟ ହାର ଚିନ୍ତାଜନକ : ଅଧାରୁ ପାଠ ଛାଡିଛନ୍ତି ୧୦,୪୦୫ ଛାତ୍ରଛାତ୍ରୀ 

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସ୍କୁଲସ୍ତରରେ ଅଧାରୁ ପାଠ ଛାଡି ବହୁ ଛାତ୍ରଛାତ୍ରୀ ଡ୍ରପଆଉଟ ହୋଇଥିବା ୨୦୨୫-୨୬ ଚାଇଲ୍ଡ ଟ୍ରାକିଂ ସର୍ଭେ ରିପୋର୍ଟରୁ ଜଣାପଡିଛି । ଶିକ୍ଷକମାନେ ଘରକୁ ଘର ବୁଲି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ ମେ ମାସରେ ହୋଇଥିବା ଏକ ସର୍ଭେ ଅନୁସାରେ କେନ୍ଦୁଝର ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୦ହଜାର ୪୦୫ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ହୋଇଛନ୍ତି । ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତ ଶିକ୍ଷା ବର୍ଷରେ ୧୪୦୧ ଜଣ ଛାତ୍ରଛାତ୍ରୀ ପୁଣି ସ୍କୁଲ ଫେରିଛନ୍ତି ଯାହାକି ମୋଟ ସଂଖ୍ୟାର ୧୪ ପ୍ରତିଶତ ଅଟେ । ଡ୍ରପଆଉଟ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫୦ଜଣ ଛାତ୍ରଛାତ୍ରୀ ବାପା ମା’ ଛେଉଣ୍ଡ ଶିଶୁ ଥିବାବେଳେ, ଘରର ଆର୍ଥିକ ସ୍ଥିତ ଖରାପ କାରଣରୁ ୩୦୪ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ଡ୍ରପଆଉଟ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାଥମିକସ୍ତରରେ ୪୦୧୭ଜଣ ଏବଂ ମାଧ୍ୟମିକସ୍ତରରେ ୬୩୮୮ଜଣ ଛାତ୍ରଛାତ୍ରୀ ଅଛନ୍ତି । ସେଥିମଧ୍ୟରୁ ୫୭୪୪ ଜଣ ବାଳକ ଏବଂ ୪୬୧୫ଜଣ ବାଳିକା ଅଟନ୍ତି । ଶିକ୍ଷକମାନେ ଘର ଘର ବୁଲି ଡ୍ରପଆଉଟ ଥିବା ୭ ରୁ ୧୮ବର୍ଷ ପିଲାଙ୍କ ମଧ୍ୟରେ ଏକ ସର୍ଭେ କରିଥିଲେ । ୭ ବର୍ଷରେ ୪୫୬ଜଣ, ୮ ବର୍ଷରେ ୨୮୯ଜଣ, ୯ ବର୍ଷରେ ୨୧୮ଜଣ, ୧୦ ବର୍ଷରେ ୨୪୯, ୧୧ ବର୍ଷରେ ୩୮୭ଜଣ, ୧୨ ବର୍ଷରେ ୬୦୭ଜଣ, ୧୩ ବର୍ଷରେ ୭୮୦ଜଣ, ୧୪ ବର୍ଷରେ ୧୦୩୧ଜଣ, ୧୫ ବର୍ଷରେ ୧୫୨୯ଜଣ, ୧୬ ବର୍ଷରେ ୨୦୦୯ଜଣ, ୧୭ ବର୍ଷରେ ୨୧୮୩ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ସର୍ଭେ ରିପୋର୍ଟ ଅନୁସାରେ ପ୍ରାଥମିକ ସ୍କୁଲରୁ ଅଧାରୁ ପାଠ ଛାଡି ୪୦୧୭ ଓ ମାଧ୍ୟମିକସ୍ତରରେ ଅଧାରୁ ପାଠ ଛାଡି ୬୩୮୮ଜଣ ଛାତ୍ରଛାତ୍ରୀ ଘରେ ରହିଛନ୍ତି । କିଏ ପ୍ରାଥମିକସ୍ତରରୁ ତ କିଏ ଦଶମ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିନାହାଁନ୍ତି । ସେମାନଙ୍କ ମଧ୍ୟରୁ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ଡ୍ରପ୍‌ଆଉଟ ସର୍ବାଧିକ ପିଲା ରହିଛନ୍ତି । ଏହି ଡ୍ରପ ଆଉଟ ହାର ଯୋଡା ବ୍ଲକରେ ସର୍ବାଧିକ ଥିବାବେଳେ ବାଂଶପାଳ ଦ୍ୱିତୀୟ ସ୍ଥାନରେ,ହରିଚନ୍ଦନପୁର ବ୍ଲକ ତୃତୀୟ ଏବଂ ସଦର ବ୍ଲକ ଚତୁର୍ଥ ସ୍ଥାନରେ ରହିଥିବା ସର୍ଭେରୁ ଜଣାପଡିଛି । ଯୋଡା ବ୍ଲକରେ ୧୨୯୬ଜଣ ଡ୍ରପ ଆଉଟ ଏବଂ ୬୭୮ ଜଣ ଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ବାଂଶପାଳ ବ୍ଲକରେ ୧୨୮୯ ଜଣ ଛାତ୍ରଛାତ୍ରୀ ଡ୍ରପ୍‌ଆଉଟ ଏବଂ ୪୨୨ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି ।
ହରିଚନ୍ଦନପୁର ବ୍ଲକରେ ୯୨୬ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ଚିହ୍ନଟ ହୋଇଥିବାବେଳେ ୧୮୨ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । କେନ୍ଦୁଝର ସଦର ବ୍ଲକରେ ୮୦୫ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ଚିହ୍ନଟ ହୋଇଥିବାବେଳେ ୨୧୧ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ଝୁମ୍ପୁରା ବ୍ଲକ୍‌ରେ ୫୪୭ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ଚିହ୍ନଟ ହୋଇଥିବାବେଳେ ୨୦୪ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ତେଲକୋଇ ବ୍ଲକରେ ୫୨୯ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ଚିହ୍ନଟ ହୋଇଥିବାବେଳେ ୧୫୩ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ଘଟଗାଁ ବ୍ଲକ୍‌ରେ ୪୭୫ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ଚିହ୍ନଟ ହୋଇଥିବାବେଳେ, ୧୪୫ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ଆନନ୍ଦପୁର ବ୍ଲକରେ ୩୯୨ଜଣ ଛାତ୍ରଛାତ୍ରୀ ଡ୍ରପ୍‌ଆଉଟ ଚିହ୍ନଟ ହୋଇଥିବାବେଳେ, ୨୦୦ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ଘସିପୁରା ବ୍ଲକ୍‌ରେ ୩୯୯ ଜଣ ଛାତ୍ରଛାତ୍ରୀ ଡ୍ରପ୍‌ଆଉଟ ଚିହ୍ନଟ ହୋଇଥିବାବେଳେ, ୧୪୩ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ଚମ୍ପୁଆ ବ୍ଲକ୍‌ରେ ୩୩୪ଜଣ ଛାତ୍ରଛାତ୍ରୀ ଡ୍ରପ୍‌ଆଉଟ ଚିହ୍ନଟ ହୋଇଥିବାବେଳେ, ୧୨୧ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ହାଟଡିହି ବ୍ଲକରେ ୩୨୩ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ଚିହ୍ନଟ ହୋଇଥିବାବେଳେ ୭୦ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ପାଟଣା ବ୍ଲକରେ ୨୪୬ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ ଚିହ୍ନଟ ହୋଇଥିବାବେଳେ ୪୧ ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ସାହାରପଡା ବ୍ଲକରେ ୧୮୨ ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ଚିହ୍ନଟ ହୋଇଥିବାବେଳେ ୯୨ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ୧୦୪୦୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୭୪୩ ଜଣ ଅଧାରୁ ପାଠ ଛାଡି ଥିବାବେଳେ ୨୬୬୨ଜଣ ଛାତ୍ରଛାତ୍ରୀ ଆଦୌ ସ୍କୁଲ ଯାଇନାହାଁନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଲା ଯୋଡା ବ୍ଲକର ଡ୍ରପ ଆଉଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ପଳାଇଛନ୍ତି । ସେହିପରି ବାଂଶପାଳ,ହରିଚନ୍ଦନପୁର,ସଦର ବ୍ଲକର ଡ୍ରପ ଆଉଟ ଛାତ୍ରଛାତ୍ରୀମାନେ ନିଜ ପରିବାରର ଆର୍ଥିକ ସମସ୍ୟା ପାଇଁ ଦୋକାନ,ହୋଟେଲମାନଙ୍କରେ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି । ଅଧାରୁ ପାଠ ଛାଡିଥିବା ପିଲାମାନେ ପୁଣି କିପରି ସ୍କୁଲ ଫେରିବେ ସେ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ପାଠ ଛାଡିଥିବା ପିଲା କିପରି ପାଠପଢା ପ୍ରତି ଆଗ୍ରହ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ସମସ୍ତ ବ୍ଲକରେ ‘ଆସ ସ୍କୁଲ ଯିବା ଅଭିଯାନ’ ସକ୍ରୀୟ କରିବାକୁ ନିଷ୍ପତ୍ତି ହୋଇଛି । ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତ ବ୍ଲକ୍‌ର ବିଡିଓ ଏବଂ ବ୍ଲକ୍‌ ଶିକ୍ଷାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଡ୍ରପ୍‌ଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।