ଅପରାଧ ପାଇଁ ଭିଡୁଥିଲେ ବୋମା : ବିସ୍ଫୋରଣରେ ୫ ଆହତ
ଭୁବନେଶ୍ୱର,୨୭ା୧ : ରାଜଧାନୀରେ ପୁଣି ଫୁଟିଲା ବୋମା । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ୍ ନଗର ଅଞ୍ଚଳରେ ଏକ ଘରର ଛାତ ଉପରେ ବେଆଇନ୍ ଭାବେ ଅପରାଧ ଘଟାଇବାକୁ ବୋମା ଭିଡିଲା ବେଳେ, ଏଭଳି ବିସ୍ଫୋରଣ ହୋଇଛି । ବୋମା ଭିଡୁଥିବା ଯୁବକଙ୍କ ସମେତ ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ôଚ ତଦନ୍ତ ଆରମ୍ଭ ହୋଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି ସେହେନୱାଜ୍ ମଲ୍ଲିକ, ବନ୍ଧୁ ଅମୀୟ ରଞ୍ଜନ ମଲ୍ଲିକ, ତାଙ୍କ ମା ଓ ବାନ୍ଧବୀ ରହିଛନ୍ତି ।
ସୂଚନା ମୁତାବକ, ସେହେନୱାଜ୍ ଆଜାଦ୍ ନଗର ଅଞ୍ଚଳରେ ରେହେନୁମା ମଞ୍ଜିଲ୍ ନାମକ ଏକ ୫ ମହଲା ବିଶିଷ୍ଟ ଘରେ ରହୁଥିଲେ । ଗ୍ରାଉଣ୍ଡ ଫ୍ଲୋରକୁ ଭଡାରେ ନେଇଥିଲା ବେଳେ ଶେଷ ମହଲା ଛାତକୁ ସେ ଅବାଧ ବ୍ୟବହାର କରୁଥିଲେ । ଏଠାରେ ସେହେନୱାଜ୍ ଏବଂ ତାଙ୍କ ସାଙ୍ଗ ବୋମା ଭିଡିବା କାମ କରୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ରେହେନୁମା ମଞ୍ଜିଲ୍ରୁ ଅଚାନକ ବହୁ ଜୋରରେ ଶବ୍ଦ ହୋଇଥିଲା । ଏତେ ଜୋରରେ ଶବ୍ଦ ଶୁଣି ବିଲ୍ଡିଂରେ ରହୁଥିବା ଅନ୍ୟ ଅନ୍ତେବାସୀ, ସ୍ଥାନୀୟ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଏହାର କିଛି ସମୟ ପରେ ଆହତମାନେ ରକ୍ତାକ୍ତ ଅବସ୍ଥାରେ ଜଣ ଜଣ କରି ବାହାରକୁ ବାହାରିଥିଲେ ।
ସେହେନୱାଜ୍ ଏବଂ ଅମୀୟଙ୍କ ହାତ ଫାଟି ଯାଇଥିବା ବେଳେ ତାଙ୍କ ମା’ ଓ ବାନ୍ଧବୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବୋମା ବିସ୍ଫୋରଣ ଘଟଣାକୁ ଲୁଚାଇବାକୁ ଆହତଙ୍କ ପକ୍ଷରୁ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ପ୍ରଥମେ ଗ୍ୟାସ୍ ସିଲିଣ୍ଡର ଫାଟିଲା ବୋଲି ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଁଞ୍ôଚଲା ପରେ ପରିସ୍ଥିତି ଭିନ୍ନ ଥିଲା । ବୋମା ବିସ୍ଫୋରଣ ହୋଇଥିବା ୫ମ ମହଲା ଛାତ ପାଣି ଟାଙ୍କି ନିକଟରେ ବାରୁଦ, ବୋମା ଭିଡିବା ସାମଗ୍ରୀ ଏବଂ ଲୁହା କଣ୍ଟା ଏବଂ କାଚ ଗୁଣ୍ଡ ଦେଖିବାକୁ ମିଳିଥିବା । ଏହାପରେ ସାଇଣ୍ଟିଫିକ୍ ଟିମ୍କୁ ଖବର ଦିଆଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚ ନମୁନା ସଂଗ୍ରହ କରିଛି । ଏହାପରେ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିବା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ବୋମା ଭିଡିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ଦେଇଥିଲେ ।