ଅପରେସନ ‘ନାଇଟ ସୁଇପର’,୧୪ କୋର୍ଟ ଚାଲାଣ
ଅଳଙ୍କାର, ୬ଲକ୍ଷ ଟଙ୍କା ସହ ୨ ବାଇକ ଓ ବୋଲେରୋ ଜବତ
ଯାଜପୁର : ଯାଜପୁର ଜିଲ୍ଲାରେ ବଢିଚାଲିଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ଅପରେସନ ନାଇଟ ସୁଇପର ଗଠନ କରାଯାଇଥିଲା । ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ଏଥି ନିମନ୍ତେ ବିଭିନ୍ନି ଟିମ୍ ଗଠନ କରାଯାଇ ଚଢାଉ ଜାରି ରହିଥିଲା । ଯେଉଁଥିରେ ପୁଲିସକୁ ସଫଳତା ମିଳିଛି । କୋରେଇ, ପାଣିକୋଇଲି, ଧର୍ମଶାଳା, ବାଲିଚନ୍ଦ୍ରପୁର ଆଦି ଥାନାଧିକାରୀଙ୍କୁ ନେଇ ଗଠିତ ଅପରେସନ ନାଇଟ ସୁଇପର ମାଧ୍ୟମରେ ୧୪ ଅଭିଯୁକ୍ତ ଗିରଫ, କରାଯିବା ସହ ସେମାନଙ୍କ ନିକଟରୁ ୧୫ଟି ମୋବାଇଲ ସହ ମାରଣାସ୍ତ୍ର, ନଗଦ ୬ଲକ୍ଷ ଟଙ୍କା, ୨ ବାଇକ, ୧ବୋଲେରୋ, ଅଢେଇ କେଜି ରୁପା, ୨୫୦ ଗ୍ରାମ ସୁନା ଜବତ କରାଯିବା ସହ ଆଉ ତିନିଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିବାକୁ ଖୋଜୁଛି ପୁଲିସ । ଅପରପକ୍ଷେ ଏମାନଙ୍କର ବ୍ରହ୍ମବରଦା, କୁଆଖିଆ, ଜେନାପୁର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଧର୍ମଶାଳା ଆଦି ଥାନାରେ ୩୦ଟି ମାମଲାରେ ସମ୍ପୃକ୍ତି ଥିବା ଜଣାପଡିଛି । ଏନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ପାଣିକୋଇଲି ପୁଲିସ ମୁଖ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଡିଆଇଜିଙ୍କ ସୂଚନା ମତେ ନିମ୍ନୋକ୍ତ ଅଭିଯୁକ୍ତ ବିଭିନ୍ନ ରାଜପଥ ଓ ଗ୍ରାମାଞ୍ଚଳ ରାସ୍ତାରେ ଏମାନେ ଛିନତାଇ, ଲୁଟ ଜାରି ରଖିଥିଲେ । ଏମାନଙ୍କ ବିରୁଦ୍ଧରେ ଧର୍ମଶାଳା ଥାନାରେ୧୬ଟି, ଜେନାପୁର ଥାନାରେ ୨ଟି, ବାଲିଚନ୍ଦ୍ରପୁର ଥାନାରେ ୬ଟି, ବ୍ରହ୍ମବରଦା ଥାନାରେ ୩ଟି ଓ କୁଆଖିଆ ଥାନାରେ ୩ଟି ମାମଲା ରହିଛି । ଯାଜପୁର ଜିଲା ସମେତ କେନ୍ଦ୍ରପଡା ଜିଲାରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ରହିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ମଧ୍ୟରୁ୧୦ଜଣ ଅଭିଯୁକ୍ତ ଓ ୪ଜଣ ସୁନା ରଖୁଥିବା ଲୋକ ବା ରିସିଭର ଅଛନ୍ତି । ମାଷ୍ଟର ମାଇଣ୍ଡ ମେହେବୁବ (ଗୋରା) ଓ ଅମନ ନିୟମିତ ଲୁଟ କରି ସୁନା ଦେକାନିକୁ ଦିଅନ୍ତି ।
ବାଲିଚନ୍ଦ୍ରପୁରର ସୁନା ଦେକାନି କାହ୍ନା ଓରଫ ଜନ୍ମେଜୟ ସାହୁକୁ ଦିଅନ୍ତି । ଉକ୍ତ ସୁନାକୁ ସେ ନେଇ କଟକ ନୟାସଡକର ଅମଲ ସେଠଙ୍କୁ ବିକ୍ରି କରନ୍ତି । ଅଭିଯୁକ୍ତ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଲ (ଖଦିମହଲା)ର ସେକ ନସିମୁଦ୍ଦିନଙ୍କ ପୁଅ ସେକ ଅଲିମୁଦ୍ଦିନ ଓରଫ ଗୋରା (୨୪), ଅବଦୁଲ ସାଜନ ଖାଁଙ୍କ ପୁଅ ରହିମ ଖାଁ(୨୦), ସେକ କଳିମୁଦ୍ଦିନଙ୍କ ପୁଅ ସେକ ଇମଉଦ୍ଦିନ ଓରଫ ଚୁଆ(୧୯) ସେକ ମୁଜାଫର ଅଲ୍ଲୀଙ୍କ ପୁଅ ସେକ ମୁସ୍ତାକିମ ଅଲ୍ଲୀ (୪୨) ଓ ଖଡକପୁର ଗ୍ରାମର ଅକ୍ଷୟ ବେହେରାଙ୍କ ପୁଅ ସ୍ମୃତିରଂଜନ ଓରଫ ବାଘ (୨୯) । ସେହିପରି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପାଟକୁରା ଗ୍ରାମର ମନୱାର ଖାଁଙ୍କ ପୁଅ ରାଜୁ ଖାଁ (୩୩) ଜଇପୁରା ୱାର୍ଡ ନମ୍ବର ୧୨ର ସେକ ଉମରଙ୍କ ପୁଅ ସେକ ମେହେବୁବ(୨୮), ମଣ୍ଡିଆ(ରଗପୁର) ଧିରେନ ମଳିକଙ୍କ ପୁଅ ମନୋଜ ମଳିକ(୨୬) କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଦିଲହାରପୁର ଗ୍ରାମର ସେକ ଅନିସୁଦ୍ଦିନଙ୍କ ପୁଅ ସେକ ଚାନ୍ଦ (୨୬)ଡେରାବିଶ ଥାନା ଦରବୁଲ ଗ୍ରାମର ବାବୁଲି ଯେନାଙ୍କ ପୁଅ ଗୌତମ ଜେନା ଓରଫ ନଣ୍ଡା(୨୮), ସମେତ ରିସିଭର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନାନପୁର ପାଟଣା ଗ୍ରାମର ବିଜୟ କୁମାର ସାହୁଙ୍କ ପୁଅ ଜନ୍ମେଜୟ ଓରଫ କାହ୍ନା(୨୯), କଟକ ପୁରୀଘାଟ ଥାନା ଅନ୍ତର୍ଗତ ନୟାସଡକ ସୁନିଲ ସେଠଙ୍କ ପୁଅ ଅମଲ ସେଠ, ଲାଲବାଗ ଥାନା ଜଗନ୍ନାଥ ବଲ୍ଲଭ ବିଜୟ ବେହେରାଙ୍କ ପୁଅ ବିକ୍ରମ, ବେନ୍ଟକାର ଥାନା ଅନ୍ତର୍ଗତ ତଇନକଣା ଗ୍ରାମର ଗୋଲକ ବିହାରୀ ସେଠଙ୍କ ପୁଅ ପବିତ୍ରକୁ ଗିରଫ କରାଯାଇଛି । ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତ ବାଲିଚନ୍ଦ୍ରପୁର ଥାନା ଚାରିନଗଂଲର ଲାଲୁ, ଅମାନ ଓ କେନ୍ଦ୍ରପଡା ଜିଲ୍ଲା ଡେରାବିଶର ମେହେବୁବ । ଆଜି ସେମାନଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିବା ଏବଂ ରିମାଇଣ୍ଡରେ ଅଣାଯାଇ ଅନ୍ୟ କେଉଁ ମାମଲାରେ ସମ୍ପୃକ୍ତି ରହିଛି ତାହାର ତଦନ୍ତ କରାଯିବ ବୋଲି ଡ଼ିଆଇଜି ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମସ୍ତ ପୁଲିସ ଉଚ୍ଚ ଅଧିକାରୀ ଓ ଥାନାଧିକାରୀ ଉପସ୍ଥିତ ରହିଥିଲେ ।