୯ ନାବାଳକଙ୍କୁ ଯୌନ ନିର୍ଯାତନା !
ଏଇଙ୍କ ବିରୋଧରେ ପ୍ରଧାନ ପଣ୍ଡିତଙ୍କ ଅଭିଯୋଗ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧିନ ହରିଶ୍ଚନ୍ଦ୍ରପୁର ସ୍ଥିତ ଭଞ୍ଜଭୂମି ସଂସ୍କୃତ ବିଦ୍ୟାଳୟର ଅନ୍ତେବାସୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ହୋଇଛି । ଶାମାଖୁଣ୍ଟା ବ୍ଳକର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଦ୍ୟାଳୟର ଅନ୍ତେବାସୀଙ୍କ ପ୍ରତି ଅସଦାଚରଣ କରି ଭୟଭୀତ କରିବାକୁ ଅପଚେଷ୍ଟା କରୁଥିବା ନେଇ ବିଦ୍ୟାଳୟର ପ୍ରଧାନପଣ୍ଡିତ ସେବତୀ ମହାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ଉଭୟଙ୍କୁ ନେଇ ଥାନାରେ ଏକ ବୈଠକ ଆସିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ବିଦ୍ୟାଳୟରେ ଏକ ଶୌଚାଳୟ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଇଞ୍ଜିନିୟର ଜଣକ ୨ ନଭେମ୍ବର ରବିବାର ଦିନ ଆସିଥିଲେ । ଅନ୍ତେବାସୀଙ୍କୁ ବିଭିନ୍ନ କଥାବାର୍ତ୍ତା କରି ୯ ଜଣ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ସେହିଦିନ ସନ୍ଧ୍ୟା ସାଢେ ୭ଟା ସମୟରେ ପୁନର୍ବାର ଛାତ୍ରାବାସକୁ ଆସି ଅନ୍ତେବାସୀଙ୍କ ସହ ମିଶି ଅଫିସ କୋଠରୀକୁ ନେଇ ଏ ସମ୍ପର୍କରେ କାହାକୁ ଜଣାଇଲେ ସ୍କୁଲ ବନ୍ଦ କରିଦେବା ସହ ଜୀବନରୁ ମାରିଦେବାର ଧମକଚମକ ଦେଇଥିଲେ । ଏପରିକି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ନାଲି ଆଖି ଦେଖାଇଥିବାର ଅଭିଯୋଗରେ ଦର୍ଶାଯାଇଛି । ଏହାର ବିଧିବଦ୍ଧ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତାଲାରେ ଦର୍ଶାଯାଇଛି ।
ଏ ସମ୍ପର୍କରେ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିବା ବେଳେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଦିବାସୀ ଛାତ୍ରଙ୍କ ପ୍ରତି ଅଧିକାରୀଙ୍କ ଏଭଳି ଆଚରଣ ଓ ଉଚ୍ଚାରଣକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ବାରିପଦା ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଳିକ କହିଛନ୍ତି ଯେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି, ଉଭୟଙ୍କୁ ଡାକି ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।