ଅବସରପ୍ରାପ୍ତ ଭିଏଲଡବ୍ଲୁ୍ୟଙ୍କ ଘରେ କଳକନା ବୁଲାଇଲେ ଦୁର୍ବୃତ୍ତ

 ଧର୍ମଶାଳା: ପୁଲିସର ଅପାରଗତ ଯୋଗୁଁ ଧର୍ମଶାଳା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ବଡିବାରେ ଲାଗିଛି । ଗତ ଦୁଇ ଦିନ ତଳେ ଏହି ଥାନା ନାକପୋଲ ଅଞ୍ଚଳରୁ ଜନୈକ ବ୍ୟକ୍ତିଙ୍କ ଘରୁ ଚୋର କଳାକନା ବୁଲାଇଥିବା ବେଳେ ରବିବାର ରାତିରେ ପୁଣି କୁମାରୀ ଅଞ୍ଚଳର ଜଣକ ଘରେ ରାତିରେ ଚୋର ପଶି କଳାକନା ବୁଲାଇଛନ୍ତି । ସୂଚନା ମୁତାବକ କୁମାରୀ ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଭିଏଲଡବ୍ଲୁଙ୍କ ଘରେ ଗତକାଲି ରାତିରେ ଦୃର୍ବୃତ୍ତ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ୪୦ହଜାରରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଛନ୍ତି । ଅଭିଯୋଗ ପାଇ ଧର୍ମଶାଳା ପୁଲିସ ଆଇନକୁ ଆଖିଠାର ମାରିବା ସଦୃଶ୍ୟ ନାମକୁ ମାତ୍ର ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ତଦନ୍ତ କରିଛି । ହେଲେ ସବୁଥର ଭଳି ଏଥର ମଧ୍ୟ ଫଳ ଶୂନ ବୋଲି ଜଣାପଡିଛି । କୁମାରୀ ଗ୍ରାମର ଅବସରପ୍ରାପ୍ତ ଭିଏଲଡବ୍ଲୁ କୃଷ୍ଣଚନ୍ଦ୍ର ବେହେରା ଓ ତାଙ୍କ ପରିବାର ରବିବାର ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ । ଯେଉଁ କୋଠରୀରେ ଆଲମିରା, ଟଙ୍କା ଓ ସୁନା ଅଳଙ୍କାର ରହିଥିଲା, ସେ ଘରେ କେହି ଶୋଇନଥିଲେ । ବିଳମ୍ବିତ ରାତିରେ ଦୃର୍ବୃତ୍ତ ମାନେ ଘରେ ପଛ ପଟେ ଥିବା ଝରକା ଗ୍ରିଲ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ଘରର ଭିତର ପଟରୁ କବାଟ ବନ୍ଦ କରି ଆଲମିରା ଖୋଲି ନଗଦ ୨୦ହଜାର ଟଙ୍କା ସହିତ ୨ଟି ସୁନାଚେନ, ୨ଟି ସୁନାହାର, ୫ଟି ସୁନାମୁଦୀ, ୨ଟି ଘଣ୍ଟା, ଏଟିଏମ କାର୍ଡ ଓ ତାଙ୍କ ଝିଅ ରଶ୍ମିରେଖା ରଖି ଥିବା ୨୦ହଜାର ଟଙ୍କା, ୪ହଳ କାନଫୁଲ, ୫ହଳ ପାଉଁଜି, ୧ଟି ରିଙ୍ଗ କାନଫୁଲ ଲୁଟି ନେଇଛନ୍ତି । ଭୋରୁ ପରିବାର ଲୋକେ ଉଠି କବାଟ ଖୋଲିଲା ବେଳକୁ ବାହାର ପଟୁ ବନ୍ଦ ଥିଲା । ପଡୋଶୀ ଡାକ ଶୁଣି ଘରର କବାଟ ଖୋଲିବା ପରେ ଘରୁ ଚୋରି ହୋଇଥିବା ଜାଣି ଏସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଆଧାର କରି ୪୬୭/୨୫ରେଏକ ମାମଲା ରୁଜୁ କରି ତଦନ୍ତ କରୁଛି ।