ସହରରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

ତାଳଚେର :  ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଖଣି ଓ କଳକାରଖାନାମାନ ଜମି ଅଧିଗ୍ରହଣ କରି ସାରିବା ପରେ ସେମାନଙ୍କର କିଛି ବଳକା ଜମି, ସରକାରୀ ଜମି ସହରକୁ ଲାଗି ରହିଥିବା ଗାଁଗଣ୍ଡା ଗୁଡ଼ିକରେ ଏବେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ତାଳଚେରବାସୀ ଚିନ୍ତାପ୍ରକଟ କରୁଥିବାବେଳେ ପୁଲିସ୍ ଓ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।
ପ୍ରକାଶ ଯେ, ତାଳଚେର ସାଉଥବଲଣ୍ଡା ଠାରୁ ଗୁରୁଦ୍ୱାର ଏମ୍ସିଏଲ କିଛି ଜମି ଅଧିଗ୍ରହଣ ପରେ ଅନ୍ୟ ବଳକା ଜମି ଗୁଡ଼ିକରେ ମାଳମାଳ ଘର ନିର୍ମାଣ କାରାଯାଇ ବାଙ୍ଗଲାଦେଶୀ ଓ ବାହାର ରାଜ୍ୟ ଲୋକ ରହୁଥିବା ଜଣାପଡ଼ିଛି । ସେହିଭଳି ତାଳଚେର ବ୍ଲକ ଲିଙ୍ଗରାଜ କୋଇଲା ଖଣି ପାଶ୍ୱର୍ବର୍ତ୍ତୀ ଏମସିଏଲ ପରିତ୍ୟକ୍ତ ଜମି ଗୁଡ଼ିକରେ, ଡ଼େରା, ଏପରିକି, ଦେଉଳବେଡ଼ା, ରେମୁଁଆ, ରେଳଷ୍ଟେସନ, ଏଫିସିଆଇ, ଥର୍ମାଲ ନିକଟସ୍ଥ  ଅଞ୍ଚଳ ଗୁଡ଼ିକରେ ସରକାରୀ ଓ କଳକାରଖାନାର ବଳକା ପରିତ୍ୟକ୍ତ ଜମି ଗୁଡିକରେ ଅନୁପ୍ରବେଶକାରୀମାନେ ଯୋରଜବରଦସ୍ତ ଘର ନିର୍ମାଣ କରି ରହିଥିବା ଅଭିଯୋଗ ହେଉଛି । କିଛି ଅନୁପ୍ରବେଶକାରୀଙ୍କର ଏଠାରେ ସ୍ଥାୟୀ ଆଧାରକାର୍ଡ଼, ରାସନକାର୍ଡ଼ ହାତେଇଥିବାବେଳେ ଆଉ କିଛି ଏଥିପାଇଁ ତତ୍ପରତା ପ୍ରକାଶ କରୁଥିବା ଜଣାପଡ଼ିଛି । ତେବେ ଏମାନେ କିପରି ରାସନ ଓ ଆଧାରକାର୍ଡ଼ ହାତଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଗତ ୩୦-୪୦ ବର୍ଷ ପୂର୍ବରୁ ଏଠାରେ ଆଦୌ ଅନୁପ୍ରବେଶକାରୀ ରହୁନଥିବା ଦେଖିବାକୁ ମିଳୁଥିଲା । ମାତ୍ର ଏଠାରେ ଗଣ୍ଡା ଗଣ୍ଡା କଳକାରଖାନା ସମେତ କୋଇଲା ଖଣି ଗଢ଼ି ଉଠିଥିବାବେଳେ ଏମାନଙ୍କର ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ଫଳତଃ ତାଳଚେର ଏମସିଏଲ ଗୁଡିକରେ ଜମି ହରାଉଥିବା ପ୍ରଜାମାନେ କିମ୍ବା କୌଣସି ସରକାର କାର୍ଯ୍ୟାଳୟ ପାଇଁ ଜମି ଖଣ୍ଡିଏ ପାଇବା କଷ୍ଟକର ବ୍ୟାପାର ହେଉଛି । ଉଦାହରଣ ସ୍ୱରୂପ ତାଳଚେର ଅଞ୍ଚଳ ପାଇଁ ସରକାରଙ୍କ ପକ୍ଷରୁ ଏ ନେଇ ନିକଟରେ ଏକ ନର୍ସିଂ କଲେଜ ଖୋଲିବା ନେଇ ଅର୍ଥ ଆସିଥିଲେ ମଧ୍ୟ ତାଳଚେର ପ୍ରଶାସନ ଅଞ୍ଚଳରେ ଜମି ନାହିଁ ଦର୍ଶାଇ ଏହାକୁ ଅନୁଗୋଳ ଜିଲ୍ଲା ବଳରାମ ପ୍ରସାଦକୁ ସ୍ଥାନାନ୍ତରିତ କରାଯାଇଛି । ସେହଭିଳି ଭାବେ ଜମି ଅଭାବରୁ ଏବେ ତାଳଚେର ଅଞ୍ଚଳରେ କୌଣସି ସରକାରୀ କାର୍ଯ୍ୟାଳୟ ନିର୍ମାଣ କରିବା ଅସମ୍ଭବ । ଏହି ଅନୁପ୍ରବେଶକାରୀମାନେ ଏଠାରେ ରହିବା ଦ୍ୱାରା ଏମାନେ ଏଥିମଧ୍ୟରୁ କେହି ଘର ନିର୍ମାଣ କାର୍ଯ୍ୟରେ ଲାଗୁଥିବା ବେଳେ ଆଉ କେହି କୁକୁଡ଼ାଚିଅାଁ, ଖେଳନା, ଘରକରଣା ସାମଗ୍ରୀ ବିକି୍ର କରିଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଦିନରେ ଫେରି କରିଥାନ୍ତି ଓ ରାତିରେ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେବେ ପୂର୍ବରୁ ତାଳଚେରକୁ ବାହାର ରାଜ୍ୟରୁ ଯେଉଁ ଲୋକ ଆସୁଥିଲେ ସେମାନଙ୍କର ଥାନାରେ ସମସ୍ତ ତଥ୍ୟ ରହୁଥିଲା । ମାତ୍ର କ’ଣ ହେଲା କେଜାଣି ଏବେ ଥାନାରେ କୌଣସି ପ୍ରକାର ସୂଚନା ରହୁନଥିବାରୁ ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ପୁଲିସ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।