ଅଭିଜ୍ଞାନଙ୍କ ଅଭିନବ ଇନିଂସ ; ୧୨୫ ବଲରେ ୨୦୯

ଅଭିଜ୍ଞାନଙ୍କ ଅଭିନବ ଇନିଂସ ; ୧୨୫ ବଲରେ ୨୦୯

ଭାରତର ବିଶାଳ ବିଜୟ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ଚମକିଛନ୍ତି ଭାରତର ଯୁବ ୱିକେଟ କିପର ବ୍ୟାଟର ଅଭିଜ୍ଞାନ ଅଭିଶେକ  କୁଣ୍ଣୁ । ସେ ୧୨୫ ବଲରେ ୨୦୯ରନ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଭାରତ ମାଲେସିଆ ବିପକ୍ଷରେ ବିଶାଳ ୩୧୫ ରନର ବିଜୟହାସଲ କରିଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୪୦୮ ରନ ସଂଗ୍ରହ କରିଥିଲା । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଜ୍ଞାନ ୧୨୫ ବଲରେ ଧୂଆଁଧାର ୨୦୯ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୯ ଛକା ଏବଂ ୧୭ ଚଉକା ସାମିଲ ଥିଲା । ଏହାବ୍ୟତୀତ ବେଦାନ୍ତ ତ୍ରିବେଦୀ ୯୦ ଏବଂ ବୈଭବ ସୂର୍ଯ୍ୟବଂଶ ୨୬ ବଲରେ ବିସ୍ଫୋରକ ୫୦ ରନର ଇନିଂସ ଖେଳିଥିଲେ । କୁଣ୍ଡୁ ମାତ୍ର ୧୨୧ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ । ୟୁଥ୍‌ ଦିନିକିଆରେ କୌଣସି ବ୍ୟାଟରଙ୍କ ଦ୍ୱାରା ଏହା ସବୁଠାରୁ ଦ୍ରୁତତମ ଦ୍ୱିଶତକ ଅଟେ  ।

   ଅଭିଜ୍ଞାନ କୁଣ୍ଡୁ ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାଟି ରାୟୁଡୁଙ୍କୁ ପଛରେ ପକାଇ ଭାରତୀୟ ଅଣ୍ଡର-୧୯ ଦିନିକିଆ କ୍ରିକେଟର ସର୍ବୋଚ୍ଚ଼ ବ୍ୟକ୍ତିଗତ ସ୍କୋର କରିଛନ୍ତି । ଏହା ସହିତ ସେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗି ଅଣ୍ଡର-୧୯ ଏସିଆ କପର ମଧ୍ୟ ସବୁଠାରୁ ଅଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି । ଯୁବ ଦିନିକିଆରେ ସବୁଠାରୁ ଦ୍ରୁତ ଦ୍ୱିଶତକ ମାରିବା ମାମଲାରେ ଅଭିଜ୍ଞାନ କୁଣ୍ଡୁ ଦକ୍ଷିଣ ଆଫ୍ରିକାର ଜୋରିଚ ଭାନ ସ୍କାଲ୍କୱିକଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏକି ଚଳିତ ବର୍ଷ ଜୁଲାଇରେ ଜିମ୍ବାୱେ ଅଣ୍ଡର-୧୯ ବିପକ୍ଷରେ ୧୪୫ ବଲରେ ଦ୍ୱିଶତକ ହାସଲ କରିଥିଲେ । ଅଭିଜ୍ଞାନ କୁଣ୍ଡୁଙ୍କ ଚମତ୍କାର ପାଳି ବଳରେ ଭାରତ ଅଣ୍ଡର-୧୯ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୪୦୮ ରନର ବିଶାଳ ସ୍କୋର କରିଥିଲା । 


   ୪୦୯ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମାଲେସିଆ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଦଳ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ୩୨.୧ ଓଭରରେ ମାତ୍ର  ୯୩ ରନ କରି ଅଲଆଉଟ୍‌ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୩୧୫ରନରେ ଜିତି ନେଇଥିଲା । ମାଲେସିଆ ପକ୍ଷରୁ ହୋମାଜ ପାଙ୍ଗୀ ସର୍ବାଧିକ ୩୫ ରନ କରିଥିଲେ । ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ଉଦ୍ଧବ ମୋହନ ୨ଟି ଏବଂ କିଷାନ ସିଂହ, ଖିଲାନ ପଟେଲ ଓ କନିଷ୍କ ଚୌହାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ବିସ୍ଫୋରକ ଇନିଂସ ପାଇଁ ଅଭିଜ୍ଞାନ କୁଣ୍ଣୁଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।