ବାହୁତୁଲେ ବୋଲିଂ କୋଚ୍

ବାହୁତୁଲେ ବୋଲିଂ କୋଚ୍


ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ ବଦଳି ସାରିଛନ୍ତି । ଗୌତ୍ତମ ଗମ୍ଭୀର ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ମଧ୍ୟରେ ବିସିସିଆଇ ଭାରତୀୟ ଦଳର ବୋଲିଂ କୋଚଙ୍କ ନାମ ଘୋଷଣା କରିଛି । ଭାରତୀୟ ଦଳର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ । ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍ ଭାବେ କାମ କରିବେ । ବାହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ । ତେବେ ମର୍ନି ମର୍କେଲ ଭାରତୀୟ ଟିମର ବୋଲିଂ କୋଚ୍ ଭାବେ ନିଯୁକ୍ତ ହେବାର ଥିଲା । କିନ୍ତୁ ସେ ଶ୍ରୀଲଙ୍କା ଗସ୍ତରେ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ । ତେଣୁ ମର୍କେଲଙ୍କ ନିଯୁକ୍ତି ପର୍ଯ୍ୟନ୍ତ ବାହୁତୁଲେ ବୋଲିଂ କୋଚ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ସାଇରାଜ ବାହୁତୁଲେଜଣେ ଲେଗ ସ୍ପିନର ଅଲରାଉଣ୍ଡର । ସେ ଭାରତ ପାଇଁ ୧୯୯୭ରୁ ୨୦୦୩ ମଧ୍ୟରେ ୨ଟି ଟେଷ୍ଟ ୮ଟି ଦିନିକିଆ ଖେଳିଛନ୍ତି । 
ନୂଆ ସହକାରୀ ପ୍ରଶିକ୍ଷକ ହେଲେ ନାୟର ଓ ଡୋସ୍କାଟେ 
ପୂର୍ବତନ ଭାରତୀୟ ଅଲରାଉଣ୍ଡର ଅଭିଷେକ ନାୟର ଓ ନେଦରଲାଣ୍ଡ୍ସର ପୂର୍ବତନ ଅଲ୍ରାଉଣ୍ଡର ରିୟାନ୍ ଟେନ୍ ଡୋସ୍କାଟେ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ପାଇଁ ଦାୟିତ୍ୱ ନେବେ । ତେବେ ଉଭୟେ ଆଗକୁ ଦଳର ନିୟମିତ ସହକାରୀ ପ୍ରଶିକ୍ଷକ ହୋଇପାରନ୍ତି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ମିଶି ନାୟର ଓ ଡୋସ୍କାଟେ ସହକାରୀ ପ୍ରଶିକ୍ଷକ ଭାବେ କାମକରିବେ । ୪୦ ବର୍ଷ ବୟସ୍କ ଅଭିଷେକ ନାୟର ଭରତ ପାଇଁ ୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ପୁଣି ମୁମ୍ବଇ ପାଇଁ ଅଭିଷେକ ୧୦୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ସେହିପରି  ୪୪ ବର୍ଷ ବୟସ୍କ ରିୟାନ୍ ଟେନ୍ ଡୋସ୍କାଟେ ନେଦରଲାଣ୍ଡ୍ସ ପାଇଁ ୩୩ଟି ଦିନିକିଆ ମ୍ୟାଚ ଖେଳି ୧୫୪୧ ରନ୍ ଓ ୨୪ଟି ଟି୨୦ ମ୍ୟାଚ ଖେଳି ୫୩୩ ରନ୍ କରିଛନ୍ତି । ଡୋସ୍କାଟେ ମଧ୍ୟ କେକେଆର୍ ଦଳର ସହକାରୀ ପ୍ରଶିକ୍ଷକ ଥିଲେ ।