ଅଲିମ୍ପିକ୍ସରେ କ୍ରିକେଟର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ପେରିଛି କ୍ରିକେଟ । ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଏହାକୁ ଅନୁମୋଦନ କରିବା ପରେ ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି  । ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ ଜୁଲାଇ ୧୨, ୨୦୨୮ରୁ ଆରମ୍ଭ ହେବ । ପଦକ ପାଇଁ ମ୍ୟାଚଗୁଡ଼ିକ ଜୁଲାଇ ୨୦ ଓ ୨୯ ତାରିଖରେ ଖେଳାଯିବ  । ଅଧିକାଂଶ ଦିନରେ ଦୁଇଟି ଲେଖାଏଁ ମ୍ୟାଚ୍  ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ ଏବଂ ଏଥିରେ ପୁରୁଷ ଓ ମହିଳା ଉଭୟ ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦଳରେ ୧୫ ଜଣ ଖେଳାଳି ରହିପାରିବେ । ତେବେ ଆମେରିକା ଆୟୋଜକ ଦେଶ ହୋଇଥିବାରୁସିଧାସଳଖ ଯୋଗ୍ୟତା ପାଇବାର ସମ୍ଭାବନା ରହିଛି  ।  ଏହି ମେଗା ଇଭେଣ୍ଟର ସମସ୍ତ କ୍ରିକେଟ୍ ମ୍ୟାଚ୍ ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ପୋମୋନାର ଫେୟାରଗ୍ରାଉଣ୍ଡସ୍ରେ ନିର୍ମିତ ଏକ ଅସ୍ଥାୟୀ ଷ୍ଟାଡିୟମ୍ରେ ଖେଳାଯିବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସରେ ଶେଷ ଥର ପାଇଁ କ୍ରିକେଟ୍ ଖେଳାଯାଇଥିଲା । ଯେଉଁଥିରେ କେବଳ ଗ୍ରେଟ୍ ବ୍ରିଟେନ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ । ପୁନଶ୍ଚ ଅଲିମ୍ପିକ୍ସକୁ କ୍ରିକେଟ ଫେରିବା ପରେ କ୍ରିକେଟପ୍ରେମୀଙ୍କ ମନରେ ଆନନ୍ଦ କେଳିଯାଇଛି ।