ଆଇ-ପ୍ୟାକରେ ଇଡି ଚଢାଉ : ଦିଦିଙ୍କ ଜୋରଦାର ପ୍ରତିବାଦ

ଆଇ-ପ୍ୟାକରେ ଇଡି ଚଢାଉ : ଦିଦିଙ୍କ ଜୋରଦାର ପ୍ରତିବାଦ

କୋଲକାତା : ଟିଏମସିର ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ ଓ କୋଲକାତାରେ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନ ଉପରେ ଇଡି ଚଢାଉ ବିରୋଧରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କ ହଜାର ହଜାର ସମର୍ଥକ ଏହି ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଆଜି ସକାଳେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିବାରୁ ଦିଲ୍ଲୀ ପୁଲିସ ତୃଣମୂଳ କଂଗ୍ରେସର ୮ଜଣ ସାଂସଦଙ୍କୁ ଉଠାଇ ନେଇଛନ୍ତି । ଏହାକୁ ଦିଦି ଦୃଢ ନିନ୍ଦା କରି ଲଜ୍ଜାଜନକ ଓ ଅଗ୍ରହଣୀୟ ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ "ଆକ୍ରମଣ’ ବୋଲି କହିଛନ୍ତି । ଆଜି ସକାଳେ ଦଳର ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସମର୍ଥକଙ୍କ ସହିତ ଦିଦି କୋଲକାତାର ୮ବି ବସ୍‌ ଷ୍ଟାଣ୍ଡ ଅଞ୍ଚଳରୁ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ । ସମର୍ଥକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପ୍ରତିଶୋଧ ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । 

   ଇଡି ଏକ ତଲାସ ଅଭିଯାନ ଚଳାଇଥିବା ସମୟରେ ଦିଦି ଜୈନଙ୍କ ଲାଉଡନ୍‌ ଷ୍ଟ୍ରିଟ୍‌ ବାସଭବନକୁ ନାଟକୀୟ ପରିଦର୍ଶନ କରିବାର ଗୋଟିଏ ଦିନ ପରେ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଦିଦି ଅଭିଯୋଗ କରିଥିଲେ ଯେ ଏଜେନ୍ସି ତୃଣମୂଳ କଂଗ୍ରେସର ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ, ହାର୍ଡ ଡିସ୍କ ଓ ଗୋପନୀୟ ସଂଗଠନ ତଥ୍ୟ ଜବତ କରିବାକୁ ଚେଷ୍ଟା କରୁଛି ଯାହା କୌଣସି ଆର୍ଥିକ ତଦନ୍ତ ସହିତ ଜଡିତ ନୁହେଁ । ପ୍ରତିବାଦ ସଭାକୁ ସମ୍ବୋଧିତ କରି ଦିଦି ନିର୍ବାଚନ କମିଶନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ଏହା କୌଣସି ଭୋଟ୍‌ ଡିଲିଟ୍‌ କରେ କିମ୍ବା କାହାର ଅଧିକାର ଛଡ଼ାଇ ନିଆଯାଏ, ତେବେ ସେ ବଦଳରେ ସେମାନଙ୍କ ଅଧିକାର ଛଡ଼ାଇ ନେବେ । ଏହାସହ ନରେନ୍ଦ୍ର ମୋଦି ସରକାରଙ୍କୁ "ନିର୍ଲଜ୍ଜ’ ବୋଲି କହିବା ସହ ନିର୍ବାଚନ କମିଶନ କିଛି କରିପାରିବେ ନାହିଁ କହିଛନ୍ତି । ରାଲି ଆରମ୍ଭ କରିବା ପୂର୍ବରୁ ଦିଦି କହିଥିଲେ, ମୁଁ ଏହି ଅଞ୍ଚଳର ସମସ୍ତ ନାଗରିକଙ୍କୁ, ମାଆ-ମାଟି-ମାନୁଷଙ୍କୁ ପ୍ରଣାମ କରୁଛି । ମୁଁ ମୋର କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି । ମୁଁ ସମସ୍ତଙ୍କୁ ନୂତନ ବର୍ଷର ଶୁଭକାମନା ଜଣାଉଛି । ଆପଣଙ୍କ ସମର୍ଥନ ବଙ୍ଗଳାର ଲୋକମାନଙ୍କୁ ବିଶ୍ୱ ସ୍ତରରେ ଆଗକୁ ନେଇଯିବ । ରାଜରାସ୍ତାରେ ପ୍ରତିବାଦର ଉଦ୍ଦେଶ୍ୟ ବ୍ୟାଖ୍ୟା କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭକ୍ତି ଜଣାଇ ମମତା କହିଥିଲେ, "ଦିଲ୍ଲୀର ବଞ୍ଚିତ, ଅପମାନ, ଅତ୍ୟାଚାର, ଅପମାନ ଏବଂ ଅସମ୍ମାନ ବିରୁଦ୍ଧରେ ଦୁଇ କୋଟି ଲୋକଙ୍କର ମତାଧିକାର ହରଣ ଓ ଅଧିକାର ଛଡ଼ାଇ ନେବା ବିରୁଦ୍ଧରେ ଆମେ ରାସ୍ତାକୁ ଓହ୍ଲାଇବୁ । ଏହା ନେତାଜୀଙ୍କ ବାର୍ତ୍ତା । ଯାଦବପୁରର ମାଟି ହେଉଛି ସଂଘର୍ଷର ମାଟି । ଏହା ହେଉଛି ଶରଣାର୍ଥୀଙ୍କ ଭୂମ ବୋଲି ସେ ଆହୁରି ମଧ୍ୟ କହିଛନ୍ତି ।