୬୩ ମାଓବାଦୀଙ୍କ ଆତ୍ମସମର୍ପଣ : ୩୬ ଜଣଙ୍କ ଉପରେ ଥିଲା ୧.୧୯ କୋଟି  ପୁରସ୍କାର

ରାୟପୁର : ଛତିଶଗଡରେ ଭୁଶୁଡିବାରେ ଲାଗିଛି ଲାଲ ଗଡ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ରଖିଛନ୍ତି କଣ୍ଟ । ଯାହାକୁ ନେଇ ଲାଲ ବାହିନୀରେ ଖେଳିଛି ଆତଙ୍କ । ପ୍ରତିଦିନ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ହିଂସା ଛାଡିବାରେ ଲାଗିଛନ୍ତି । ଆଜି  ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପ୍ରାୟ ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ସେମାନଙ୍କ ମଧ୍ୟରୁ ୩୬ ଜଣେ ଥିଲେ ମୋଷ୍ଟ ୱାଣ୍ଟେଡ । ଯାହାଙ୍କ ମୁଣ୍ଡରେ ପୁରସ୍କାର ରାଶି ଥିଲା ୧.୧୯ କୋଟି ଟଙ୍କାରୁ ଅଧିକ  ।


  ‘ପୁନ ମାର୍ଗମ' (ପୁନଃସ୍ଥାପନରୁ ସାମାଜିକ ପୁନଃସଂଯୋଗ ପର୍ଯ୍ୟନ୍ତ) ପଦକ୍ଷେପ ଅଧୀନରେ ୧୮ ଜଣ ମହିଳା ସମେତ ବରିଷ୍ଠ କ୍ୟାଡରମାନେ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ବୋଲି ଦାନ୍ତେୱାଡା ପୁଲିସ ଅଧିକ୍ଷକ ଗୌରବ ରାୟ କହିଛନ୍ତି । ମାଓବାଦୀମାନେ କହିଛନ୍ତି ଯେ ସେମାନେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ମାଓବାଦୀମାନେ ଦକ୍ଷିଣ ବସ୍ତର ଡିଭିଜନ, ପଶ୍ଚିମ ବସ୍ତର ଡିଭିଜନ, ରାଜ୍ୟର ମାଡ ଡିଭିଜନ ଓ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିଲେ । ସେ କହିଛନ୍ତି ଯେ ୭ଜଣ କ୍ୟାଡରଙ୍କ ଉପରେ ପ୍ରତ୍ୟେକଙ୍କ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ସମର୍ପଣକାରୀଙ୍କ ମଧ୍ୟରେ ପକଲୁ ଓରଫ ପ୍ରଦୀପ ଓୟାମ (୪୫) ରହିଛନ୍ତି, ଯିଏ ମାଓବାଦୀଙ୍କ କଳାହାଣ୍ଡି ଅଞ୍ଚଳ କମିଟିର ସମ୍ପାଦକ ଥିଲେ ।

  ଅନ୍ୟ ୭ ଜଣ କ୍ୟାଡରଙ୍କ ପାଇଁ ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କା, ୮ ଜଣ କ୍ୟାଡରଙ୍କ ପାଇଁ ୨ ଲକ୍ଷ ଟଙ୍କା, ୧୧ ଜଣ କ୍ୟାଡରଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ତିନି ଜଣ କ୍ୟାଡରଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ଏହି ୩୬ ଜଣ କ୍ୟାଡରଙ୍କ ପାଇଁ ୧,୧୯,୫୦,୦୦୦ ଟଙ୍କା ସାମୂହିକ ପୁରସ୍କାର ଘୋଷଣା କରାଯାଇଛି । ସମସ୍ତ ୬୩ ଜଣ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ତୁରନ୍ତ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ଓ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ପୁନର୍ବାସ କରାଯିବ । ୭ ତାରିଖରେ ପଡୋଶୀ ସୁକମା ଜିଲ୍ଲାରେ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ୨୦୨୫ ମସିହାରେ ରାଜ୍ୟରେ ୧୫୦୦ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।