ନୂଆଦିଲ୍ଲୀସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଶାହ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶପ୍ରେମର ଭାବନାକୁ ମଜଭୁତ କରିବା ପାଇଁ ଏକ ଜନ ଅଭିଯାନରେ ପରିଣତ ହୋଇଛି । ଏହି ଅଭିଯାନ ଦର୍ଶାଉଛି ଯେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜ ବଳିଦାନ, ତପସ୍ୟା ଓ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଛନ୍ତି । ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଓ ସର୍ବଶ୍ରଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ ।