ଆଇପିଏଲ୍ ୨୦୨୫ : ବିରାଟ ବିଦା, ଆରସିବିର ନୂଆ କ୍ୟାପ୍ଟେନ ରଜତ

 ନୂଆଦିଲ୍ଲୀ: ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ଆଇପିଏଲ୍ରେ ବଡ଼ ନିଷ୍ପତ୍ତି ନେଇଛି ଫ୍ରାଞ୍ଚାଇଜ୍ ଟିମ୍ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଲଗାତାର ଦଳର ଖରାପ ପ୍ରଦର୍ଶନ ଯୋଗୁ ବିଭିନ୍ନ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ଥର ଦଳ ଏହାର ଅଧିନାୟକଙ୍କୁ ପରିବର୍ତ୍ତନ କରିଛି । ପୂର୍ବରୁ ଆରସିବିର ଅଧିନାୟକ ଥିବା ବିରାଟ କୋହଲିଙ୍କ ପରିବର୍ତ୍ତେ ଦଳ ଏଥର କ୍ରିକେଟର ରଜତ ପଟିଦାରଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି । ୨୦୨୧ରୁ ଆରସିବି ସହ ଜଡ଼ିତ ଥିବା ପଟିଦାର ଫ୍ରାଞ୍ଚାଇଜର ୮ମ ଅଧିନାୟକ ହେବେ । ଷ୍ଟାର କ୍ରିକେଟର ତଥା ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିବା ବେଳେ ଏଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଏ ଅବସରରେ ବିରାଟ ନିଜ ପ୍ରତିକ୍ରିୟାରେ ରଜତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ‘ନୂଆ ପଦବୀ ପାଇଁ ତୁମକୁ ଶୁଭକାମନା । ତୁମେ ଫ୍ରାଞ୍ଚାଇଜ୍ରେ ରହି ନିଜ ପ୍ରଦର୍ଶନ ବଳରେ ସମଗ୍ର ଭାରତରେ ଆରସିବିର ସମସ୍ତ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛ । ସେମାନେ ତୁମକୁ ଖେଳୁଥିବାର ଦେଖି ଉସôାହିତ ହୋଇଯା’ନ୍ତି । ତେଣୁ, ତୁମେ ଏହି ପଦବୀ ପାଇଁ ଯୋଗ୍ୟ । ମୁଁ ଏବଂ ଦଳର ଅନ୍ୟ ସଦସ୍ୟମାନେ ତୁମ ପଛରେ ରହିବେ ଏବଂ ତୁମକୁ ଆମ ସମସ୍ତଙ୍କ ସମର୍ଥନ ମିଳିବ ।’ ଆରସିବି ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ବିରାଟ ଏପରି କହୁଥିବା ଦେଖିବାକୁ ମିଳିଛି ।