ବଟ୍ଲରଙ୍କ ଧୂଅାଁଧାର ଇଂନିସ୍: ଦିଲ୍ଲୀକୁ ହରାଇ ଶୀର୍ଷରେ ଗୁଜରାଟ

 ନୂଆଦିଲ୍ଲୀ : ଜୋସ୍ ବଟଲରଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀକୁ ୭ ୱିକେଟ୍ରେ ହରାଇଛି ଗୁଜରାଟ ଟାଇଟନ୍ସ । ଆଇପିଏଲର ୩୫ତମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୮ ୱିକେଟ୍ ହରାଇ ୨୦୩ ରନ କରିଥିଲା । ଜବାବରେ ଗୁଜରାଟ ଜୋସ ବଟଲରଙ୍କ ଅପରାଜିତ ୯୭ ରନ ବଳରେ ୧୯.୨ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି । ବଟଲରଙ୍କ ବ୍ୟତୀତ ଶେରଫେନ ରଦରଫୋର୍ଡ ୪୩ ରନ କରିଛନ୍ତି । ହେଲେ ଐତିହାସିକ ଶତକରୁ ଗୁଜରାଟ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଦ୍ୱିତୀୟ ପରାଜୟ ସହ ଦିଲ୍ଲୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ମାତ୍ର ୧୪ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଅଧିନାୟକ ଶୁଭମନ ଗିଲ୍ ୭ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ସାଇ ସୁଦର୍ଶନ ଓ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍ରେ ୬୦ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ୭୪ ରନ ସ୍କୋରରେ ସାଇ ସୁଦର୍ଶନ ବ୍ୟକ୍ତିଗତ ୩୬ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ଜୋସ୍ ବଟଲର ଓ ରଦରଫୋର୍ଡ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡିଥିଲେ । ଏହି କ୍ରମରେ ଜୋସ୍ ବଟଲର ଅର୍ଦ୍ଧଶତକ ପୂରଣ କରିଥିଲେ । ରଦରଫୋର୍ଡ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଗୁଜରାଟର ବିଜୟ ସହ ବଟଲର ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ । ଶେଷ ଓଭରରେ ଗୁଜରାଟକୁ ଜିତିବା ପାଇଁ ୧୦ ରନ ଦରକାର ଥିବା ବେଳେ ରାହୁଲ ତେୱତିଆ ୩ ବଲରୁ ୧୧ ରନ କରିବାରୁ ବଟଲର ୯୭ ରନରେ ଅପରାଜିତ ରହି ୩ ରନରୁ ଶତକରୁ ବଞ୍ଚିତ ହୋଇଛନ୍ତି । ବଟଲରଙ୍କ ଇନିଂସରେ ୧୧ ଚୌକା ଓ ୪ ଛକା ସାମିଲ । ଏଥିସହ ଗୁଜରାଟ ୧୯.୨ ଓଭରରେ ମାତ୍ର ୩ ୱିକେଟ୍ ମ୍ୟାଚ୍କୁ ଜିତି ନେଇଛି ।