ଆଖି ବୁଜିଛନ୍ତି ପିଡ଼ିତା ସୌମ୍ୟାଶ୍ରୀ

ଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏମ କଲେଜ ଛାତ୍ରୀ । ଜୀବନ ମରଣ ସହ ସଂଘର୍ଷ ପରେ ଗତକାଲି ରାତିରେ ଆଖି ବୁଜିଛନ୍ତି ପିଡ଼ିତା । ବାଲେଶ୍ୱର FM କଲେଜ କତୃପକ୍ଷଙ୍କ ନିର୍ଯାତନାର ଶିକାର ହେବା ପରେ ଶନିବାର ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସଙ୍କଟପୂର୍ଣ୍ଣ ଅବସ୍ଥାରେ AIIMS ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ଅଂଶ ପୋଡିଯାଇଥିଲା । ୯୮ ପ୍ରତିଶତ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା ।  ଏମ୍ସର ୧୦ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ ବି ଏପର୍ଯ୍ୟନ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ଆସିନଥିଲା । ଛାତ୍ରୀଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁ ପରେ ବିଳମ୍ବିତ ରାତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଛାତ୍ରୀଙ୍କ ମୃତଦେହକୁ ତାଙ୍କ ନିଜ ଘର ବାଲେଶ୍ବର ଭୋଗରାଇ ଅଞ୍ଚଳକୁ ନିଆଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟୁ ସମ୍ପନ୍ନ କରାଯିବ ।