ଆଖି ବୁଜିଲା ‘ମହେନ୍ଦ୍ର’

ଆଖି ବୁଜିଲା ‘ମହେନ୍ଦ୍ର’

ଆଖି ବୁଜିଲା ଶିମିଳିପାଳର ହିରୋ ବୋଲାଉଥିବା ତାଲିମପ୍ରାପ୍ତ ହାତୀ "ମହେନ୍ଦ୍ର’ । ରବିବାର ରାତି ୯ଟା ୪୫ମିନିଟରେ ଶିମିଳିପାଳର ‘ଚହଲା' ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛି ମହେନ୍ଦ୍ର । ମୃତୁ୍ୟ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମପ୍ରାପ୍ତ ଦନ୍ତାହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭାକୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା । ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁଙ୍କୁ ଶିକାରୀ କବଳରୁ ରକ୍ଷା କରିବା ପାଇଁ ମହେନ୍ଦ୍ର କୁ ନିୟୋଜିତ କରାଯାଇଥିଲା । ଆଉ ଏଥିପାଇଁ ମହେନ୍ଦ୍ର ତା' ଜୀବନର ଦୀର୍ଘ ୨୪ ବର୍ଷ ଦେଇ ଦେଇଛି । ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମଧ୍ୟ ମାରିଥିଲେ । ଏଥିରେ ଗୁରୁତ୍ୱର ଆହତ ହେଇଥିବା ମହେନ୍ଦ୍ର ଅସ୍ତ୍ରପ୍ରଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ନିଜ କାମରେ ସାମିଲ ହୋଇଥିଲା । ୨୦୧୯ ଜାନୁଆରୀରେ ମହେନ୍ଦ୍ରକୁ ବାଘୁଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏବଂ ଦୀର୍ଘ ୪ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା ।  ବୟସ ଅଧିକ ହୋଇଥିବା କାରଣରୁ ନିକଟରେ ଅସୁସ୍ଥ ହୋଇପଡିଥିଲା ମହେନ୍ଦ୍ର । ଏବଂ ତାକୁ ଶିମିଳିପାଳ ଉତ୍ତର ଡିଭିଜନ୍ର ଚହଲା ଠାରେ ରଖି ଚିକିତ୍ସା କରାଯାଉଥିଲା । ମହେନ୍ଦ୍ରକୁ ବଞ୍ଚେଇ ରଖିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଶତଚେଷ୍ଟା କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମହେନ୍ଦ୍ରର ମୃତୁ୍ୟ ଘଟିଥିଲା ।