ଜୋର ଧରିଲା ମହିମାଗାଦିକୁ ବ୍ଲକ ଗଠନ ଦାବି  

ଜୋର ଧରିଲା ମହିମାଗାଦିକୁ ବ୍ଲକ ଗଠନ ଦାବି  

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିକୁ ବ୍ଲକ ମାନ୍ୟତା ଦେବା ଦାବି ପୁଣି ଜୋର ଧରିଲା । ଦୀର୍ଘ ବର୍ଷ ଧରି ଏହି ଦାବିକୁ ଅଞ୍ଚଳବାସୀ ବିଭିନ୍ନ ଫୋରମ୍ରେ ଉଠାଇଥିବାବେଳେ ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ଅଟେ । ଏଠାରେ ବ୍ଲକ ଗଠନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । ସ୍ଥାନୀୟ ଅଞ୍ଚଳରେ ଏହା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ଗନ୍ଦିଆ ବ୍ଲକ ସମେତ ସଦର ଓ କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବହୁ ଲୋକ ବିଭିନ୍ନ କାମ ପାଇଁ  ଏଠାକୁ ଆସିଥାନ୍ତି । ଏଠାରେ ଏକ ନୂତନ ବ୍ଲକ ହେଲେ ସ୍ଥାନୀୟ ଲୋକମାନେ ବହୁ ସୁବିଧା ପାଇବା ସହିତ ସମୟ ଅପଚୟ ସହ ଅଯଥା ଖର୍ଚ୍ଚାନ୍ତ ନ ହୋଇ ନିଜ ସମସ୍ୟା ସମାଧାନ କରିପାରନ୍ତେ ବୋଲି ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ଯୋରନ୍ଦାରୁ ପୁରୀ ଶ୍ରୀକ୍ଷେତ୍ରକୁ ବସ୍ ସେବା ବ୍ୟବସ୍ଥା କରିଥିବାରୁ ମହିମାଗାଦି ଆଞ୍ଚଳିକ ବିକାଶ ପରିଷଦ, ମହିମା ଧର୍ମଧାମ ବିକାଶ ପରିଷଦ ଓ ମହିମା ସମାଜ ସାଧୁସନ୍ଥ ଓ ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଶିଷ୍ଟ କୃଷକ ନେତା ରାମଚନ୍ଦ୍ର ପାତ୍ରଙ୍କୁ କୃତଜ୍ଞତା ଜଣାଇବା ସହିତ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଯୋରନ୍ଦା ସରପଞ୍ଚ ଆରତୀ ନାୟକଙ୍କ ସଭାପତିତ୍ୱରେ ଓଟିଡିସି ଗେଷ୍ଟ ହାଉସ୍  ପରିସରରେ ବୈଠକ ଅନୁଷ୍ଠିତ ହୋଇ  ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ମହିମା ଆଞ୍ଚଳିକ ବିକାଶ ପରିଷଦ କ୍ରିୟାନୁଷ୍ଠାନ କମିଟି ସଭାପତି ଚିତ୍ତରଞ୍ଜନ ମହାନ୍ତି, ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର, ଆବାହକ ଆନନ୍ଦ ଚନ୍ଦ୍ର ମହାନ୍ତି, କମିଟି ସଭ୍ୟ ଶରତ ରାଉତ, ସୁଧାଂଶୁ ଶେଖର ରାଉତ, ପୀତବାସ ରାଉତ, ବେଣୁଧର ପାତ୍ର, ଲମ୍ବୋଦର ପରିଡ଼ା, ପ୍ରକାଶ କୁମାର ରାଉତ, ଦିଗମ୍ବର ସାହୁ, ଧର୍ମାନନ୍ଦ ରାଉତ, ପଞ୍ଚାନନ ସ୍ୱାଇଁ, ଯୁଧିଷ୍ଠିର ମହାନ୍ତି, ପ୍ରକାଶ ନାୟକ, କାଶୀନାଥ ସାମଲ, ନୀରୋଦ ସାମଲ, ଗୋକୁଳ ଚନ୍ଦ୍ର ସାହୁ, ପ୍ରସନ୍ନ ରାଉତ, ବିଦ୍ୟାଧର ବେହେରା, ପ୍ରତୁ୍ୟଷ ହରି ପ୍ରଧାନ, କାହ୍ନୁଚରଣ ସାହୁ, ଅଶୋକ ପାତ୍ର, ଶ୍ୟାମସୁନ୍ଦର ସ୍ୱାଇଁ, ଯଦୁନନ୍ଦନ ଦାସ, ମହିମା ସନ୍ନ୍ୟାସୀ ଅବିନାଶୀ ବାବା, ପ୍ରସନ୍ନ ବାବା, ପ୍ରଭାସ ବାବା ଓ ବନମାଳୀ ବାବା, ବିଶ୍ୱାନନ୍ଦ ଦାସ ପ୍ରମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ଅବସରରେ ଯୋରନ୍ଦା ଅଞ୍ଚଳ ଓ ଢେଙ୍କାନାଳ ସଦର ଅଞ୍ଚଳର ୧୫ ଟି ଗ୍ରାମ ପଞ୍ଚାୟତକୁ ନେଇ ନୂତନ ଭାବେ ପ୍ରସ୍ତାବିତ ମହିମାଗାଦି ବ୍ଲକ ଗଠନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।