ଆଗ ପରିଚାଳନା କମିଟି, ତା’ପରେ ଗଣତିମଣତି

ପୁରୀ : ଆଗ ପରିଚାଳନା କମିଟି ଗଠନ କରାଯିବ। ଏହା ପରେ ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତରିତ କରାଯିବ। ସେହିପରି ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା। ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଦିନକୁ ଦିନ ଯେଉଁ ସମସ୍ୟା ଉପୁଜୁଛି ତାହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ଓ ଏସ୍.ପି ପିନାକ ମିଶ୍ର ଆଜି ଶ୍ରୀମନ୍ଦିର ଭିତର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ କହିଥିଲେଯେ, ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏଏସ୍ଆଇ ଦ୍ୱାରା ଶେଷ ହୋଇଛି । ଏବେ ଯେଉଁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରେ ଅଳଙ୍କାର ଅଛି ସେଠାରୁ ମୂଳ ରତ୍ନ ଭଣ୍ଡାରକୁ ଅଣାଯିବ । ପରିଚାଳନା କମିଟି ଗଠନ ହେବା ପରେ ଏହି କାର୍ଯ୍ୟ କରାଯିବ ।
୧୫ରୁ ଧାଡ଼ି ଦର୍ଶନ : ଅରବିନ୍ଦ
ପରିଚାଳନା କମିଟିର ଜଣେ ସଦସ୍ୟଙ୍କୁ ରତ୍ନଭଣ୍ଡାର କମିଟିରେ ସଦସ୍ୟ ଭାବେ ରଖାଯିବ । ପରିଚାଳନା କମିଟିର ଅନୁମୋଦନ କ୍ରମେ ସେ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରିବେ । ଏହାପରେ ଗଣତିମଣତି କରାଯିବ । ଏସ୍ପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେଯେ, ପୋଲିସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଦୁଇ ତିନୋଟି ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛନ୍ତି । ଖୁବ୍ଶୀଘ୍ର ଆନନ୍ଦ ବଜାରରେ ଏକ ପୋଲିସ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯିବ। ସେଠାରେ ସିସିଟିଭି ଲାଗିବ । ଅହରହ ମନ୍ଦିର ଭିତରେ ପୋଲିସ ପ୍ରତ୍ୟେକଙ୍କ ଗତିବିଧି ତଦାରଖ କରିବ । ମନ୍ଦିର ବେଢାରେ ଥିବା ବିଭିନ୍ନ ପ୍ରମୁଖ ଦେବଦେବୀ ମନ୍ଦିରରେ ଅଧିକ ପୋଲିସ ମୁତୟନ କରାଯିବ ।