ବ୍ରିଟେନ୍‌ର ହାଉସ ଅଫ ଲଡର଼୍ସରେ ‘ବାଲିଯାତ୍ରା’ ଉତ୍ସବ

  • ଆୟୋଜକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : ବ୍ରିଟେନର ହାଉସ ଅଫ ଲର୍ଡସରେ ବାଲିଯାତ୍ରା ପାଳିତ ହୋଇଯାଇଛି । ଓଡ଼ିଶା ସୋସାଇଟ ଅଫ ୟୁକେ ପକ୍ଷରୁ ପାଳିତ ଏହି ଉତ୍ସବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିବା ସହ ଆୟୋଜକଙ୍କୁ ପ୍ରଶଂସା କରିଛନ୍ତି । ବାଲିଯାତ୍ରା ହେଉଛି ଭାରତର ପ୍ରାଚୀନ ନୌବାଣିଜ୍ୟ ଉତ୍ସବ । ଓଏସୟୁକେ ଓ ଏକ୍ସପର୍ଟନେଷ୍ଟର ମିଳିତ ଉଦ୍ୟମରେ ବ୍ରିଟେନର ହାଉସ ଅଫ ଲଡର଼୍ସରେ ଗ୍ଳୋବାଲ ସାଉଥ ମାରିଟାଇମ୍‌ ହେରିଟେଜ୍‌ ସମିଟ୍‌-୨୦୨୫ର ଆୟୋଜନ କରାଯିବା ସହ ବାଲିଯାତ୍ରା ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ଓଡିଶୀ ନୃତ୍ୟ ବି ପରିବେଷଣ କରାଯାଇଥିଲା । ଏହି ଅବସରରେ ବ୍ରିଟେନର ସାଂସଦମାନଙ୍କ ସମେତ ପ୍ରାୟ ୧୧୫ ବିଶିଷ୍ଟ ଅତିଥି ଉପସ୍ଥିତ ରହି ବାଲିଯାତ୍ରା ଉତ୍ସବରେ ସାମିଲ୍‌ ହୋଇଥିଲେ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟକୁ ପହଁଚାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବାବେଳେ ଏହି ସମ୍ମିଳନୀରେ ଗ୍ଳୋବାଲ ସାଉଥ କରିଡ଼ର ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଥିଲା । ଏହି ଉତ୍ସବରେ ସାଂସଦ ଲୁଇ ଫ୍ରେଞ୍ଚ, ଲଡର଼୍ ରାମି ରେଞ୍ଜର, ଲଡର଼୍ ଇଭାନ୍ସ ପ୍ରମୁଖ ଉପସ୍ଥିତ ଥିଲେ ।