ଆଶିଷ ସିଂଙ୍କୁ ନେଇ ଏଭଳି କହିଲେ ଡିଜିପି

ଆଶିଷ ସିଂଙ୍କୁ ନେଇ ଏଭଳି କହିଲେ ଡିଜିପି

ଭୁବନେଶ୍ୱର: ଆଇପିଏସ ଆଶିଷ ସିଂଙ୍କୁ ନେଇ ଗୃହ ବିଭାଗର ଚିଠି ପରେ ଡିଜିପି ନିଜର ପ୍ରତିକ୍ରିୟା ରଖିଛନ୍ତି । ଗତ ଜୁନ ୩ ତାରିଖ ଠାରୁ ଆଶିଷ ସିଂ କାର୍ଯ୍ୟରେ ଯୋଗଦେଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି । ଗତ ୧୭ ତାରିଖରେ ଡିଜିପି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ବୈଠକରେ ବି ଆଶିଷ ସିଂ ଉପସ୍ଥିତ ଥିଲେ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି । ଆଶିଷ ତାଙ୍କ ଜଏନିଂ ରିପୋର୍ଟ ଏସଆଇଡବ୍ଲୁ୍ୟରେ ଦେଇଛନ୍ତି ବୋଲି ଡିଜିପି କହିଛନ୍ତି । ଏହା ରୁଟିନ କରେସପଣ୍ଡେଣ୍ଟ, ହୁଏତ ଚିଠିଟି ରହିଯାଇଥିବ ବୋଲି ଡିଜିପି କହିଛନ୍ତି । ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଇଦିଆଯାଇଥିବା ସେ କହିଛନ୍ତି ।

ପ୍ରକାଶ ଯେ  ଆଇପିଏସ ଆଶିଷ ସିଂ ଏବେ କେଉଁଠି ବୋଲି ଗୁରୁବାର ଗୃହ ବିଭାଗ ପ୍ରଶ୍ନ କରିଥିଲା । ଏନେଇ ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଆଶିଷ ସିଂ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପଚାରିଥିଲେ।ତେବେ ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ। ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନାହିଁ। ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ବିଭାଗକୁ ଖବର ମିଳିନି। ତେଣୁ ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ କୁହାଯାଇଥିଲା।

ସୂଚନା ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ଆଇପିଏସ୍ ଆଶିଷ କୁମାର ସିଂଙ୍କ ଛୁଟି ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କହିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଇପିଏସ୍ ଶ୍ରୀ ସିଂ ମେ’ ୪ତାରିଖରେ ଏକମାସ ଛୁଟି(ଇଏଲ) ନେଇଥିଲେ। ଏହି ଛୁଟି ଆବେଦନକୁୁ ଗୃହ ବିଭାଗ ପିଛିଲା ଭାବେ ଅର୍ଥାତ୍ ମେ’ ୧୦ତାରିଖରେ ଅନୁମୋଦନ କରିଥିଲା।

ତେବେ ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ଶ୍ରୀ ସିଂ କାର୍ୟ୍ୟରେ ଯୋଗଦେଲେଣି ନା ନିଜର ଛୁଟି ଅବଧି ବୃଦ୍ଧି କରିଛନ୍ତି ତା’ର କୌଣସି ସୂଚନା ଗୃହ ବିଭାଗ ପାଖରେ ନାହିଁ। ତେଣୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଖୁବଶୀଘ୍ର ବିଭାଗକୁ ଦେବା ପାଇଁ ଶ୍ରୀ ମଲ୍ଲିକ  ରାଜ୍ୟ ପୁଲିସ ଡିଜିଙ୍କୁ ଅନୁରୋଧ କରିଥିଲେ।