ଆଜି ନେଟ୍‌ ପ୍ରାକ୍ଟିସ : ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ

ଆଜି ନେଟ୍‌ ପ୍ରାକ୍ଟିସ : ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ

କଟକ : ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମ୍ୟାଚକୁ ଉପଭୋଗ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସହ  ଅନ୍ୟ କେତେକ ମନ୍ତ୍ରୀ ମଧ୍ୟ ମ୍ୟାଚ ଦେଖିବାକୁ ଆସିପାରନ୍ତି ବୋଲି ସୂଚନା ମିଳିଛି ।

    ଆଜି ବାରବାଟୀ ପଡ଼ିଆରେ ନେଟ୍‌ ପ୍ରାକ୍ଟିସ ହେବ । ନେଟ୍‌ ପ୍ରାକ୍ଟିସ ଦେଖିବା ଲାଗି ୨ଟି ଗ୍ୟାଲେରି ଖୋଲା ରହିଛି । ଦୁଇ ଦଳର ଖେଳାଳିମାନେ ସୋମବାରଠାରୁ ନେଟ୍‌ ପ୍ରାକ୍ଟିସ କରିବେ ।  ସୋମବାର ପୂର୍ବାହ୍ନ ସାଢେ ୧ ଟାରେ ଭାରତୀୟ ଦଳ ପଡ଼ିଆରେ ଅଭ୍ୟାସ କରିବେ । ଏହା ପରେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବେ ।

   

    ଅନ୍ୟପଟେ ରବିବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ଖେଳାଳି । ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ଉଭୟ ଦଳର ଖେଳାଳି । ଭାରତୀୟ କ୍ରିକେଟ ଟିମ୍‌ର କୋଚ୍‌ ଗୌତମ ଗମ୍ଭୀର ପ୍ରଥମେ ବିମାନ ବନ୍ଦରରୁ ବାହାରିଥିଲେ । ତାଙ୍କ ସହିତ ତିଲକ ବର୍ମା, ଅର୍ଶଦୀପ ସିଂ, ହର୍ଷିତ୍‌ ରାଣା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଓ ଅନ୍ୟ ଖେଳାଳି ମାନେ ପହଞ୍ଚିଛନ୍ତି । ଖେଳାଳିଙ୍କ ସହ ଅନ୍ୟ କୋଚିଙ୍ଗ ଓ ସପୋର୍ଟ ଷ୍ଟାଫ୍‌ ବି ପହଞ୍ଚିଛନ୍ତି । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍‌ ବୁମ୍‌ରା ବି ପହଞ୍ଚି ସାରିଛନ୍ତି । ଦକ୍ଷିଣ ଆଫ୍ରିକାର କୋଚ୍‌ ଓ ଖେଳାଳି ମାନେ ବି ବିମାନ ବନ୍ଦରରେ ପହଞ୍ଚିଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଯାଇଥିଲେ ଉଭୟ ଟିମ୍‌ । ହୋଟେଲରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।