ମହିଳାଙ୍କ ହତ୍ୟାକୁ ନେଇ ଜଳୁଛି ଗାଁ : ରାଖାଲଗୁଡା ଓ ଏମଭି ୨୬ ଗ୍ରାମବାସୀ ମୁହାଁମୁହିଁ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଡୁଡୁମେଟଲା ନିକଟ ଦେଇ ଯାଇଥିବା ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ନେଇ ୪ ଦିନ ବିତି ଯାଇଥିବା ବେଳେ ଏହି ଘଟଣା ଆଜି ଉଗ୍ରରୂପ ନେଇଛି । ଘଟଣାକୁ ନେଇ ରାଖାଲଗୁଡା ଗ୍ରାମ ଓ ଏମଭି ୨୬ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିବା ସହ ମହିଳାଙ୍କ ମୁଣ୍ଡ ମିଳିନଥିବା ଓ ଏହି ହତ୍ୟା କାଣ୍ଡ ପଛରେ କିଏ ରହିଛି ଏହାକୁ ନେଇ ଏହି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ମାଲକାନଗିରି ଏସପି, ଜିଲ୍ଲାପାଳ, ଅନ୍ୟ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।
ସୂଚନା ଅନୁଯାୟୀ ୪ ଦିନ ପୂର୍ବେ ରାଖାଲଗୁଡା ଗ୍ରାମର ଲାକେ ପଡିଆମୀ ନାମକ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡୁମେଟଲା ଗ୍ରାମ ନିକଟସ୍ଥ ନଦୀରୁ ମିଳିଥିଲା । ମୃତକ ମହିଳା ଜଣଙ୍କ ରାଖାଲଗୁଡା ଗ୍ରାମର ବୋଲି ଜଣାପଡିଛି । ତେବେ ଏହାକୁ ନେଇ ନିକଟରେ ଥିବା ଏମଭି ୨୬ ଗ୍ରାମ ଓ ରାଖାଲଗୁଡା ଗାଁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମହିଳା ଜଣଙ୍କ ନିଖୋଜ ଥିବା ନେଇ କୋରୁକୋଣ୍ଡା ଥାନାରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୁଣ୍ଡ ମିଳିନଥିବା ବେଳେ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ରାଖାଲଗୁଡାରେ ଆଜି ଏହାକୁ ନେଇ ଶତାଧିକ ଲୋକେ ଏମଭି ୨୬ ଗ୍ରାମରେ ପହଞ୍ଚି କିଛି ଘର ଓ ଅନ୍ୟ ସାମଗ୍ରୀରେ ନିଆଁ ଲଗାଇଥିଲେ । ଏହା ସହ ଅନେକ ଲୋକଙ୍କ ଗାଡି, ଆସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା ।
ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସର ବରିଷ୍ଟ ଅଧିକାରୀ ଓ ବହୁ ପୋଲିସ କର୍ମଚାରୀ ସେଠାରେ ଉପସ୍ଥିତ ରହି ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ଯଦିଓ ଆକ୍ରମଣକାରୀ ଗୋଷ୍ଠୀ ସେଠାରୁ ଚାଲି ଯାଇଛନ୍ତି । କିନ୍ତୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ନଜର ରଖିଛନ୍ତି । ଏନେଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ପ୍ରକାଶ କରିଛନ୍ତିଯେ, ବର୍ତ୍ତମାନ ପରିସ୍ଥିତି ଆୟତ୍ତକୁ ଆସିଛି । ପୋଲିସ, ବିଏସଏଫ, ଦମକଳ ବାହିନୀର ଟିମ ଗ୍ରାମରେ ମୁତୟନ ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଏହାସହ ସେ ସମସ୍ତଙ୍କୁ ଶାନ୍ତିର ସହ ମିଳି ମିଶି ରହିବା ପାଇଁ ଅପିଲ ମଧ୍ୟ କରିଛନ୍ତି । ଅନ୍ୟପଟେ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି କୋରୁକୋଣ୍ଡା ପୋଲିସ ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ପ୍ରକାଶ କରିଛନ୍ତି ।