ଆଜି ଶପଥ ନେବେ ନୀତୀଶ

ଆଜି ଶପଥ ନେବେ ନୀତୀଶ
  • ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ
  • ୮ରେକର୍ଡ ୧୦ମ ଥର ହେବେ ମୁଖ୍ୟମନ୍ତ୍ରୀ
  • ୮ସମ୍ରାଟ ଓ ବିଜୟ ହେବେ ଉପ-ମୁଖ୍ୟମନ୍ତ୍ରୀ
  • ୮ଯୋଗଦେବେ ମୋଦି, ମୋହନ 


ପାଟନା : ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ନୀତୀଶ କୁମାର ରେକର୍ଡ ଦଶମ ଥର ପାଇଁ ରାଜ୍ୟର ଶାସନଭାର ଗ୍ରହଣ କରିବାକୁ ଯାଉଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ଗୋଟିଏ ଦିନ ପୂର୍ବରୁ ଜେଡି(ୟୁ) ସୁପ୍ରିମୋ ଆଜି ସର୍ବସମ୍ମତି କ୍ରମେ ଏନଡିଏ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ ବିଦାୟୀ ସରକାରଙ୍କ ମୁଖ୍ୟ ଭାବରେ ରାଜଭବନ ଯାଇ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଶପଥ ଗ୍ରହଣ ସମାରୋହ ଆସନ୍ତାକାଲି ପାଟନାର ଐତିହାସିକ ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନେ ଏଥିରେ ଯୋଗଦେବେ । 


     ଆଜି ସକାଳେ ପାଟନାରେ ଦଳୀୟ ବିଧାୟକମାନଙ୍କ ଏକ ବୈଠକରେ ନୀତୀଶ କୁମାରଙ୍କୁ ଜନତା ଦଳ (ୟୁ) ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା । ଅନ୍ୟପକ୍ଷରେ ବୁଧବାର ବିଜେପି ବିଧାୟକ ଦଳ ବୈଠକ ବସି ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କୁ ଦଳର ନେତା ଏବଂ ଉପନେତା ଭାବରେ ମନୋନୀତ କରାଯାଇଛି । ସେମାନଙ୍କ ନିର୍ବାଚନ ସୂଚାଇ ଦେଉଛି ଯେ ସେମାନେ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ସେମାନଙ୍କର ପଦବୀ ବଜାୟ ରଖିବେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତାକାଲି ପାଟନାରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପୂର୍ବରୁ ଗାନ୍ଧି ମଇଦାନରେ ଚାଲିଥିବା ପ୍ରସ୍ତୁତି ଯାଞ୍ଚ କରିଛନ୍ତି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ମୁଖ୍ୟ ସଚିବ ପ୍ରତ୍ୟାୟା ଅମୃତ ମଧ୍ୟ ଉପସ୍ଥିତ ଥିଲେ । ସୂତ୍ର ଅନୁସାରେ ନୂତନ ସରକାରରେ ୧୮ ରୁ ୨୦ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଥିବା ଗଣମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି । ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ୨୦୨ ଆସନ ଜିତି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏନଡିଏ ଏକ ବିରାଟ ବ୍ୟବଧାନରେ କ୍ଷମତା ବଜାୟ ରଖିବାରେ ରେକର୍ଡ କରିଛି । ବିଜେପି ୮୯ ଆସନ, ଜେଡି(ୟୁ) ୮୫, ଏଲଜେପି (ଆରଭି) ୧୯, ଏଚ୍‌ଏଏମ୍‌ ୫ ଏବଂ ଆରଏଲଏମ୍‌ ୪ ଆସନ ପାଇଛନ୍ତି । ବିରୋଧୀ ଦଳ କେବଳ ୩୫ ଆସନ ଜିତିଛି । ରାଷ୍ଟ୍ରୀୟ ଜନତା ଦଳ ୨୫, କଂଗ୍ରେସ ୬, ସିପିଆଇ-ଏମଏଲ ୨, ସିପିଆଇ(ଏମ) ୧ ଏବଂ ବହୁଜନ ସମାଜ ପାର୍ଟି ୧ ଆସନ ପାଇଛନ୍ତି । ଏଆଇଏମଆଇଏମ୍‌ ୫ ଆସନ ଜିତିଛି । ଏହାସହ ବିଜେପି ବାଚସ୍ପତି ପଦ ବଜାୟ ରଖୁଥିବା ବେଳେ ନୀତୀଶଙ୍କ ହାତରେ ରହିବ ଗୃହ ବିଭାଗ ।