ଗ୍ୟାଙ୍ଗଷ୍ଟର ଅନମୋଲ ଗିରଫ : ନକଲି ପାସପୋର୍ଟରେ ଯାଇଥିଲା ୟୁଏସ

ଗ୍ୟାଙ୍ଗଷ୍ଟର ଅନମୋଲ ଗିରଫ : ନକଲି ପାସପୋର୍ଟରେ ଯାଇଥିଲା ୟୁଏସ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ ଓ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ ଆଜି ଭାରତରେ ପହଞ୍ଚିବା ପରେ ତାକୁ ଏନଆଇଏ ଗରିଫ କରିଛି । ଅନମୋଲ ନକଲି ପାସପୋର୍ଟରେ ଆମେରିକା ଯାଇଥିବା ଜଣାପଡିଛି । ଭାନୁ ପ୍ରତାପ ନାମରେ ଏକ ନକଲି ପାସପୋର୍ଟ ତିଆରି କରି ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିଲା ବୋଲି   ଅଧିକାରୀମାନେ କହିଛନ୍ତି ।

     ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲକୁ ମଙ୍ଗଳବାର ଦିନ ଆମେରିକାରୁ ନିର୍ବାସିତ କରାଯାଇଥିଲା । ବୁଧବାର ଅପରାହ୍ନରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲା । ଅବୈଧ କାଗଜପତ୍ର ସହିତ ଦେଶରେ ପ୍ରବେଶ କରିବା ପାଇଁ ବିଷ୍ଣୋଇକୁ ୨୦୨୪ ନଭେମ୍ବରରେ କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋରେ ଗିରଫ କରାଯାଇଥିଲା । ମହାରାଷ୍ଟ୍ର କୋର୍ଟ ଦ୍ୱାରା ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯିବା ଏବଂ ଇଣ୍ଟରପୋଲ ଦ୍ୱାରା ରେଡ୍‌ କର୍ଣ୍ଣର ନୋଟିସ ଜାରି କରାଯିବାର କିଛି ଦିନ ପରେ ଏହି ଗିରଫଦାରୀ ହୋଇଛି ।

    ଅନମୋଲ ଭାରତରେ ପହଞ୍ଚିବା ପରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ଦ୍ୱାରା ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଛି । ତାଙ୍କର ଡାକ୍ତରୀ ଯାଞ୍ଚ ପରେ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଏନଆଇଏ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । କୋର୍ଟ ୧୧ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଥିଲେ । ଏନଆଇଏ ପଚରାଉଚରା କରିବା ପରେ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟ ଏବଂ ସହରର ପୁଲିସ ସେମାନଙ୍କ କ୍ଷେତ୍ରରେ ତାଙ୍କ ବିରୁଦ୍ଧରେ ବିଭିନ୍ନ ମାମଲା ସହିତ ଜଡିତ ଗ୍ୟାଙ୍ଗଷ୍ଟରଙ୍କୁ ପଚରାଉଚରା କରିବାକୁ ଚେଷ୍ଟା କରିବ । ଅନମୋଲ ଯେଉଁ ମାମଲାରେ ଅଭିଯୁକ୍ତ ଅଛି ସେଥିମଧ୍ୟରୁ ତିନୋଟି ହାଇ-ପ୍ରୋଫାଇଲ୍‌ ହେଉଛି ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇରେ ବାବା ସିଦ୍ଦିକଙ୍କ ହତ୍ୟା, ୨୦୨୨ ମେ’ରେ ପଞ୍ଜାବର ମାନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଏବଂ ଗତ ବର୍ଷ ଏପ୍ରିଲରେ ସଲମାନ ଖାନଙ୍କ ମୁମ୍ବାଇ ଘର ବାହାରେ ଗୁଳିକାଣ୍ଡ ।